ବିଭିନ୍ନ ସମସ୍ୟା ନେଇ ଟ୍ରକ୍ ମାଲିକ ସଂଘର ଦାବିପତ୍ର 

 ଢେଙ୍କାନାଳ :  ଢେଙ୍କାନାଳ ଶିଳ୍ପାଞ୍ଚଳ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମାଧାନ ପାଇଁ  ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ୟା ଗୁଡିକର ସମାଧାନ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଜିଲ୍ଲାର ୮ଗୋଟି ବ୍ଲକରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଟ୍ରକ୍ ମାଲିକମାନଙ୍କର ୭୦୦ରୁ ଊର୍ଦ୍ଧ୍ୱ ଟ୍ରକ୍ ରହିଛି । ଏହି ଟ୍ରକ୍ ବ୍ୟବସାୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜିଲ୍ଲାର ୧୭୦୦ରୁ ଅଧିକ ପରିବାର ପ୍ରତିପୋଷଣ ହୋଇଥାନ୍ତି । ଢେଙ୍କାନାଳ ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ବିଭିନ୍ନ ଶିଳ୍ପମାନ ଗଢି ଉଠିଛି । ଏଠାରୁ ପ୍ରତ୍ୟେକ ହଜାର ହଜାର ସଂଖ୍ୟାରେ ଟ୍ରକ୍ ଲୋଡ଼ ହୋଇ ବିଭିନ୍ନ ପ୍ରକାର ମାଲ୍ ପରିବହନ କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କମ୍ପାନୀ କର୍ତ୍ତୃପକ୍ଷମାନଙ୍କୁ ଟ୍ରକ୍ ନିୟୋଜିତ କରିବାକୁ ଅନୁରୋଧ କରିବା ପରେ କୌଣସି ସୁଫଳ ମିଳିପାରିନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ବିଷୟରେ ପୂର୍ବରୁ ବହୁବାର ତତ୍କାଳୀନ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ନିମନ୍ତେ ନିବେଦନ ମଧ୍ୟ କରିଛନ୍ତି । ଏହା ସହିତ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ସମସ୍ୟା ସମାଧାନ ପାଇଁ ଜଣାଇବା ପରେ ଏକ ବୈଠକ କରି ସେମାନଙ୍କୁ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ଟ୍ରକ ମାଲିକମାନେ ଉଚିତ୍ ନ୍ୟାୟ ପାଇପାରି ନାହାଁନ୍ତି ବୋଲି ସଂଘ ସୂଚନା ଦେଇଛି । ତେଣୁ ଜିଲ୍ଲାରେ ଥିବା କମ୍ପାନୀ ଏବଂ ଲୋକ ପ୍ରତିନିଧି ମାନଙ୍କ ସହ ବିଚାର ବିମର୍ଶ କରି ଜିଲ୍ଲାର ଟ୍ରକ୍ ମାଲିକମାନଙ୍କର ସମସ୍ୟା ଦିଗରେ ନ୍ୟଯୋଚିତ ପଦକ୍ଷେପ ଗ୍ରହଣ କରିବା ସହିତ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ ବେଳେ ସଭାପତି ରଶ୍ମି ରଞ୍ଜନ ବାରିକ୍, ଉପ-ସଭାପତି ବଳରାମ ଜେନା, ସାଧାରଣ ସଂପାଦକ ଲକ୍ଷ୍ମୀଧର ନାୟକ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ ପ୍ରମୁଖଙ୍କ ସହିତ ସଦସ୍ୟମାନେ  ଉପସ୍ଥିତ ଥିଲେ  । ଆଗକୁ ଏହାର ସମାଧାନ ନ ହେଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଂଘ ଦାବି କରିଛି ।