୧୨୨ ବର୍ଷ ପରେ ବାଲିମୁକ୍ତ ହେବ ‘ବ୍ଲାକ୍‌ ପାଗୋଡ଼ା’ 

୧୨୨ ବର୍ଷ ପରେ ବାଲିମୁକ୍ତ ହେବ ‘ବ୍ଲାକ୍‌ ପାଗୋଡ଼ା’ 
  • ଖନନ ହେଲା ୨୧ ଫୁଟ୍‌ ଲମ୍ବ ପଥର କାନ୍ଥ
  • ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ : ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ

କୋଣାର୍କ : ଦୀର୍ଘ ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାହାରିବ ବାଲି । ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ସୂର୍ଯ୍ୟମନ୍ଦିର ପରିଦର୍ଶନ ସହ ମନ୍ଦିର କାନ୍ଥ ପଥରର ସ୍ଥିତି ଯାଞ୍ଚ କରିଛନ୍ତି ଏକ ୧୦ ଜଣିଆ ବିଶେଷଜ୍ଞ ଦଳ । ଏହି ଦଳ ୧୬ ସେଣ୍ଟିମିଟର ଗୋଲେଇରେ କୋର୍‌ ଡ୍ରିଲ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୨୧ ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ଗର୍ତ୍ତ ଖୋଳାଯାଇଛି । ମନ୍ଦିର ପଥରର କୌଣସି କ୍ଷତି ନପହଞ୍ଚିବା ପାଇଁ ଡ୍ରିଲିଙ୍ଗ ପାଇଁ ଡାଇମଣ୍ଡ ଡ୍ରିଲ ମେସିନ ସହ ଜିରୋ ଭାଇବ୍ରେସନ ମେସିନର ବ୍ୟବହାର କରାଯାଇଛି । ୭ ତାରିଖ ସକାଳେ ପ୍ରତ୍ନତତ୍ତ୍ୱ ବିଭାଗ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାପାଠ ପରେ ଆଜି ସକାଳୁ ୧୬ ଇଞ୍ଚର କୋର୍‌ ଡ୍ରିଲ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ନତତ୍ତ୍ୱ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରୀ, ସୁପରିଟେଡେଣ୍ଟ ଡି ବି ଗଡ଼ନାୟକ, ପ୍ରତ୍ନତତ୍ତ୍ୱ ବିଭାଗ କୋର କମିଟି ସଦସ୍ୟ ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ବିଶିଷ୍ଟ ସ୍ଥପତି ଇଞ୍ଜିନିୟର ଅଶୋକ କୁମାର ବାସାଙ୍କ ଉପସ୍ଥିତିରେ ଆଇଆଇଟି ମାଡ୍ରାସର ୧୦ଜଣିଆ ଇଞ୍ଜିନିୟରିଂ ଟିମ୍‌ ଏହି ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି । ସମ୍ପୂର୍ଣ୍ଣ ଖନନ ପରେ ମନ୍ଦିରର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଓ ଗର୍ଭଗୃହ କାନ୍ଥକୁ  ସୁରକ୍ଷା ଦେବା ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ନିର୍ମିତ କାନ୍ଥର ସ୍ଥିତି ଜଣାପଡ଼ିବ । ୭ ମିଟର ଚଉଡାରେ ଖନନ ପରେ ମନ୍ଦିର କାନ୍ଥର ପଥର ସ୍ଥିତି ଭଲ ଅଛି ଓ ମନ୍ଦିର ପ୍ରତି କୌଣସି ବିପଦ ନଥିବା ପ୍ରତ୍ନତତ୍ତ୍ୱ ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରୀ କହିଛନ୍ତି । ଏହି ଖନନ କାର୍ଯ୍ୟ ଶେଷ ପରେ ସୂର୍ଯ୍ୟମନ୍ଦିରର ପରବର୍ତ୍ତୀ ସଂରକ୍ଷଣ କାର୍ଯ୍ୟ ଗର୍ଭଗୃହରୁ ବାଲି କାଢିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବା ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟଣ୍ଡଣ୍ଟ ଡି ବି ଗଡ଼ନାୟକ କହିଛନ୍ତି ।


    ସୂଚନାଯୋଗ୍ୟଯେ, ଇଂରେଜ ସରକାର ମନ୍ଦିର ଗର୍ଭଗୃହର ସୁରକ୍ଷା ପାଇଁ ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଓ ପଥର ଭର୍ତ୍ତି କରି ବନ୍ଦ କରିଦେଇଥିଲେ । ଏହା ମଧ୍ୟରେ ୧୨୨ ବର୍ଷ ବିତିଯାଇଛି । ମନ୍ଦିରର ଗର୍ଭଗୃହ ସ୍ଥିତି ଜାଣିବା ପାଇଁ ୨୦୦୯ରେ ରୁର୍କି ସ୍ଥିତ ସିବିଆରଆଇ ସଂସ୍ଥା ପକ୍ଷରୁ ମନ୍ଦିରର ଲେଜର ସ୍କାନିଂ, ଏଣ୍ଡୋସ୍କୋପି କରାଯିବା ସହ ଗର୍ଭଗୃହ ମଧ୍ୟକୁ ରୋବୋଟିକ କ୍ୟାମେରା ଛାଡି ଫଟୋ ଉତ୍ତୋଳନ କରାଯାଇଥିଲା । ମନ୍ଦିର ଗର୍ଭଗୃହରେ ୧୭ ଫୁଟ୍‌ ବାଲି ଦବି ଯାଇଥିବା ଜଣାପଡ଼ିଥିଲା । ୨୦୨୦ରେ ଉଚ୍ଚ ନ୍ୟାୟାଳୟ ମନ୍ଦିରର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ଥିତି ଯାଞ୍ଚ ପାଇଁ ଆମିକସକ୍ୟୁରୀଙ୍କୁ ନିଯୁକ୍ତ କରିଥିଲେ । ଏହି ବର୍ଷ ପ୍ରତ୍ନତତ୍ତ୍ୱ ବିଭାଗର ଉଚ୍ଚସ୍ତରୀୟ ବୈଠକରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପକ୍ଷରେ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲି କାଢିବା ପାଇଁ ଆରମ୍ଭ ହୋଇଥିବା କୋର୍‌ ଡ୍ରିଲ କାର୍ଯ୍ୟକୁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସଭାପତି ସୌମ୍ୟ ସୌରଭ ଦାଶ ଓ ଆବାହକ ଭାଗିରଥି ସ୍ୱାଇଁ ପ୍ରମୁଖ ସ୍ୱାଗତ କରିଥିଲେ ମଧ୍ୟ ଐତିହ୍ୟକୁ ସୁରକ୍ଷିତ ରଖି ଅତ୍ୟନ୍ତ ଯତ୍ନବାନରେ ଏହି ବାଲି କାଢିବା ପ୍ରକ୍ରିୟା କରାଯାଉ ବୋଲି ଦାବି କରିଛନ୍ତି ।