ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ବିନା ଟେଣ୍ଡରେ ସଫେଇ କାମ 

 କେନ୍ଦୁଝର: କେନ୍ଦୁଝରଗଡ଼ ପୌରପାଳିକାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ସହରର ବିଭିନ୍ନ ୱାର୍ଡରେ ନିୟମିତ ସଫେଇ ହେଉନଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ଏହାକୁ ନେଇ ଅଭିଯୋଗ କଲେ ମଧ୍ୟ କେତେକ ୱାର୍ଡରେ କାଉନସିଲରମାନେ ଶୁଣୁ ନାହାଁନ୍ତି । ଅନେକ ସମୟରେ କାଉନସିଲରମାନେ ଶୁଣିଲେ ମଧ୍ୟ ସଠିକ୍ କାର୍ଯ୍ୟ ହେଉନାହିଁ । ଫଳରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଉଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝରଗଡ ପୌରପାଳିକା ଅଧିନରେ ୨୧ ଟି ୱାର୍ଡ ରହିଛି । ପୂର୍ବରୁ ସମସ୍ତ ୱାର୍ଡରେ ସୂଚାରୁ ରୂପେ ସଫେଇ କରିବା ପାଇଁ ଟେଣ୍ଡର କରାଯାଇ ଭାଗ ଭାଗ କରି ୩ଟି ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଉଥିଲା । ଫଳରେ ସଫେଇ କାର୍ଯ୍ୟ ସଠିକ୍ ଭାବେ ସମ୍ପାଦିତ ହେଉଥିଲା । ପରବର୍ତ୍ତୀ ସମୟରେ ଜଣେ ବାହାର ସଂସ୍ଥାକୁ ଦିଆଯିବା ପରେ ସଫେଇ କାର୍ଯ୍ୟର ସୁପରିଚାଳନା ହୋଇ ପାରିଲାନାହିଁ । ଏପରିକି ପ୍ରତ୍ୟେକ ବର୍ଷ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରିବା ବ୍ୟବସ୍ଥା ଥିଲେ ହେଁ ୨୦୨୩ ମସିହାରେ ବିନା ଟେଣ୍ଡରରେ ପୂର୍ବରୁ କାମ କରୁଥିବା ସଂସ୍ଥାକୁ ଅହେତକୁ ଅନୁକମ୍ପା ପ୍ରଦର୍ଶନ କରି ସଫେଇ କାର୍ଯ୍ୟ ଦିଆଯାଇଛି । ଫଳରେ ଏହି ସଂସ୍ଥା ମନମୁଖି କାମ କରିବା ଫଳରେ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗଡିିବାକୁ ଲାଗିଛି । ଏପରିକି ୨୦୨୪ ମସିହାରେ ଟେଣ୍ଡର କରାନଯାଇ ଏକ୍ସଟେନସରେ କାମ ଚାଲିଛି । ଏହି ଘଟଣାକୁ ନେଇ ଅନେକ ବିରୋଧି ଦଳର କାଉନସିଲର ଉଦ୍ବେଗ ପ୍ରକାଶ କରିଛନ୍ତି । ନିଦ୍ଦିଷ୍ଟ କେତେକ କାଉନସିଲଙ୍କ ପ୍ରୋସôାହନରେ ଉକ୍ତ ସଂସ୍ଥା ମନମୁଖିଭାବେ କାମ କରି ଆସୁଥିବାରୁ ଅସନ୍ତୋଷ କୁହୁଳୁଛି । ଏଣୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରି ସହରର ସଫେଇ କାର୍ଯ୍ୟକୁ ସଠିକ୍ ଭାବରେ କରିବା ପାଇଁ ଅଭିଜ୍ଞ ଠିକା ସଂସ୍ଥାମାନଙ୍କୁ ପୂର୍ବ ଭଳି ବିଭିନ୍ନ ଭାଗରେ ବିଭକ୍ତ କରି ଦିଆଯାଉ । ଏଠାରେ ପ୍ରକାଶ ଯେ, ଠିକା ସଂସ୍ଥାର ମାସିକ ବିଲ ପ୍ରଦାନ ବେଳେ କାଉନସିଲରଙ୍କ ସହମତି ଜରୁରୀ ହୋଇଥାଏ । ଅନେକ ୱାର୍ଡରେ ସଫେଇ କାର୍ଯ୍ୟ ଠିକ୍ ଭାବରେ ହେଉ ନଥିବା ବେଳେ, କାଉନସିଲମାନେ କିଭଳି ସହମିତି ପ୍ରଦାନ କରୁଛନ୍ତି ତାହାକୁ ନେଇ ସହରବାସୀ ସମାଲୋଚନା କରୁଛନ୍ତି । ସଫେଇ ବାବଦରେ ମାସିକ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ, ପ୍ରକୃତ ପକ୍ଷେ କେତେ ସ୍ୱଚ୍ଛତା ରକ୍ଷା ହେଉଛି ତାହାର ଯାଂଚ ହେବା ଜରୁରୀ । ପ୍ରତ୍ୟେକ ୨ଟି ୱାର୍ଡ ପାଇଁ ଅଳିଆ ବୋହିବା ପାଇଁ ଗୋଟିଏ ଟ୍ରାକ୍ଟର ଆବଶ୍ୟକତା ରହିଛି । ମାତ୍ର ତାହା ଯୋଗାଇ ଦିଆଯାଉ ନଥିବାରୁ ଅନେକ ୱାର୍ଡରେ ଅଳିଆ ନେବାରେ ସମସ୍ୟା ଦେଖା ଦେବା ସହ ବିଳମ୍ବ ହେଉଛି । ସଫେଇ କର୍ମଚାରୀଙ୍କୁ ଆବଶ୍ୟକୀୟ ଟ୍ରଲି, ଡୁଇଲବାର ଯୋଗାଇ ଦିଆଯାଉନାହିଁ । ଯେଉଁଗୁଡିକ ଖରାପ ହେଲାଣି ତାହା ମଧ୍ୟ ମରାମତି କରାଯାଉନାହିଁ । ଫଳରେ ସଫେଇ କର୍ମଚାରୀ ବାଧ୍ୟ ହୋଇ କାଟୁନ ଏବଂ ଭଙ୍ଗା ଡଷ୍ଟବିନରେ ଅଳିଆ ନେଉଛନ୍ତି । ଏ ନେଇ ପୌର ନିର୍ବାହୀ ଅଧିକାରୀ ବସନ୍ତ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ଖୁବଶୀଘ୍ର ସଫେଇ କାମ ପାଇଁ ଟେଣ୍ଡର କରାଯିବ ବୋଲି କହିଛନ୍ତି ।