ଅନୁଦାନ ଖର୍ଚ୍ଚ କରିପାରୁନାହିଁ କେନ୍ଦୁଝର ଆଇଟିଡିଏ

 କେନ୍ଦୁଝର : ଅନୁଦାନ ଖର୍ଚ୍ଚ କରିପାରୁନାହିଁ କେନ୍ଦୁଝର ଆଇଟିଡିଏ । ବିଭିନ୍ନ ଯୋଜାନରେ ଆସିଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ବ୍ୟାଙ୍କରେ ପଡିରହିଛି । ମନରେଗାରେ ୫୯କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୨କୋଟି ୮୬ଲକ୍ଷ, ସମ୍ବିଧାନର ଧାରା ୨୭୫(କ)ରେ ୩ବର୍ଷରେ ୧୩ କୋଟିରୁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ରାଜ୍ୟ ଯୋଜନାରେ ୩୬କୋଟିରୁ ୧୦କୋଟି, ଅଣ ଯୋଜନାରେ ୨୮କୋଟିରୁ ୧୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦୁଝର ଜିଲ୍ଲାରେ ଜନଜାତିମାନଙ୍କର ବିକାଶ ପାଇଁ ଗଠିତ ହୋଇଛି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ । କେନ୍ଦୁଝର ଜିଲ୍ଲାରେ କେନ୍ଦୁଝର ଓ ଚମ୍ପୁଆ ଉପଖଣ୍ଡରେ ଦୁଇଗୋଟି ଆଇଟିଡିଏ ରହିଥିବା ବେଳେ କେନ୍ଦୁଝର ଆଇଟିଡିଏ ଅଧିନରେ କେନ୍ଦୁଝର ସଦର,ବାଂଶପାଳ, ତେଲକୋଇ, ପାଟଣା, ସାହାରପଡା,ହରିଚନ୍ଦନପୁର,ଘଟଗାଁ ବ୍ଲକ ରହଛି,ଯାହାକି ରାଜ୍ୟର ଏକ ବଡ ଆଇଟିଡିଏ ଭାବରେ ପରିଗଣିତ । ଅଂଚଳରେ ୪ଲକ୍ଷ ୭୨ ହଜାର ୬୭୬ ଜଣ ଜନଜାତି ବସବାସ କରୁଛନ୍ତି । ତେବେ ସବୁଠାରୁ ପରିତାପରେ ବିଷୟ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ଏହି ଆଇଟିଡିଏକୁ କୋଟି କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଉଥିଲେ ମଧ୍ୟ ଅର୍ଥ ଖର୍ଚ୍ଚ କରିବାରେ କେନ୍ଦୁଝର ଆଇଟିଡିଏ ଏକପ୍ରକାର ବିଫଳ ହୋଇଛି । ଗତ ତିନିଗୋଟି ଆର୍ଥିକ ବର୍ଷର ହିସାବକୁ ଲକ୍ଷ୍ୟ କଲେ ପ୍ରାୟ ପ୍ରତ୍ୟେକ ଯୋଜନାରେ ଅର୍ଥ ଖର୍ଚ୍ଚ ନ ହୋଇ ପଡିରହିଛି । ବିଭିନ୍ନ ସ୍ଥାନରେ ଲୋକଙ୍କୁ କାମ ଯୋଗାଇବା ଉଦେ୍ଦଶ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ବା ମନରେଗା ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦୧୯ଟି ପ୍ରକଳ୍ପ ପାଇଁ ୫୯କୋଟି ୧୮ଲକ୍ଷ ୧୮ହଜାର ଟଙ୍କାର ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଥିଲା ଓ ଏହି ସମସ୍ତ ପ୍ରକଳ୍ପ ପାଇଁ ଏହି ଅର୍ଥ ଅନୁଦାନ ଆକାରରେ ଆଇଟିଡିଏକୁ ହସ୍ତାନ୍ତର ହୋଇଥିଲା, ମାତ୍ର ଚଳିତ ଆର୍ଥିକ ବର୍ଷର ୪ମାସ ବିତିସାରିଥିଲେ ମଧ୍ୟ ଏହାର ଦୁଇ ପ୍ରତିଶତ ମାତ୍ର ଖର୍ଚ୍ଚ ହୋଇପାରିନାହିଁ । ଏବେ ସୁଦ୍ଧା ମାତ୍ର ୧୬୭ଟି ପ୍ରକଳ୍ପ ଶେଷ ହୋଇ ୨କୋଟି ୮୬ଲକ୍ଷ ୮୨ହଜାର ୭୦୦ଟଙ୍କା ଖର୍ଚ୍ଚ ହୋଇଛି । ଏହି ମନରେଗା ଯୋଜନାରେ ୧୦ଲକ୍ଷ ୮୨ହଜାର ୪୪୪ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଯଦି ଆନୁପାତିକ ହିସାବ କରାଯାଏ ତେବେ ଏହି ୪ମାସ ମଧ୍ୟରେ ଅର୍ଥାତ ଏପ୍ରିଲ ୧ତାରିଖ ୨୦୨୫ ମସିହାରୁ ୩୧ଜୁଲାଇ ୨୦୨୫ସୁଦ୍ଧା ୨ଲକ୍ଷ ୭୦ହଜାର ଶ୍ରମଦିବସ ସୃଷ୍ଟି ହେବା କଥା ମାତ୍ର, ୧ଲକ୍ଷ ୫ହଜାର ୬୫ଶ୍ରମ ଦିବସ ସୃଷ୍ଟି ହୋଇଛି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି ।
ସେହିପରି କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରଣୀତ ହୋଇଥିବା ଧାରା ୨୭୫ (କ)ମାଧ୍ୟମରେ ଗତ ତିନିବର୍ଷରେ ୧୩ କୋଟି ୩୦ଲକ୍ଷ ୧୪ହଜାର ଟଙ୍କାର ଅନୁଦାନ ଆସିଥିବାବେଳେ, ୧କୋଟି ୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଆହୁରି ୧୨କୋଟି ୨ଲକ୍ଷ ୬୪ହଜାର ଟଙ୍କା ଖର୍ଚ୍ଚ ହୋଇ ପାରି ନାହିଁ । ୨୦୨୪-୨୫ ଆର୍ଥିକ ବର୍ଷରେ ୨୫କୋଟି ୩୧ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ସେଥିମଧ୍ୟରୁ ମାତ୍ର ୫ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ସମୀକ୍ଷା ବୈଠକରେ ତଥ୍ୟ ପ୍ରକାଶିତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଅଣ ଯୋଜନା ବା ନନପ୍ଲାନ ସ୍କିମରେ ୨କୋଟି ୬୬ଲକ୍ଷ ଟଙ୍କାର ଅନୁଦାନ ମିଳିଥିବାବେଳେ ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ । ଲୋକସଭା ସଦସ୍ୟଙ୍କ ହାତପାଣ୍ଠି ବା ଏମପି ଲ୍ୟାଡରେ ମଧ୍ୟ ଆଇଟିଡିଏ  ପାଇଥିବା ଅର୍ଥ ଖର୍ଚ୍ଚ କରିପାରନାହିଁ । ୨୦୨୩-୨୪ ଆର୍ଥିକ ବର୍ଷରେ ୬୨ଟି ପ୍ରକଳ୍ପ ପାଇଁ ୨କୋଟି ୯୬ଲକ୍ଷ ୩୫ହଜାର ଟଙ୍କା କେନ୍ଦୁଝର ଆଇଟିଡିଏକୁ ଆସିଥିବାବେଳେ ସେଥିମଧ୍ୟରୁ ୨୧ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ ମାତ୍ର ୯୫ଲକ୍ଷ ୪୦ହଜାର ଟଙ୍କା ଖର୍ଚ୍ଚ ହୋଇଛି ଓ ପ୍ରାୟ ୧କୋଟି ଟଙ୍କା ବଳକା ରହିଛି । ଏହିପରି ଅନେକ ଯୋଜନାରେ କେନ୍ଦୁଝର ଆଇଟିଡିଏ ଅର୍ଥ ଖର୍ଚ୍ଚ କରିବାରେ ପାରଦର୍ଶିତା ହାସଲ କରିପାରୁ ନ ଥିବା ଜଣାପଡିଛି । ଏଥିପାଇଁ ପ୍ରକଳ୍ପସ୍ତରୀୟ ବୈଠକ ହେବାରେ ବିଳମ୍ବ ଏବଂ ଆବଶ୍ୟକୀୟ ସପୋର୍ଟ ଷ୍ଟାଫ ଯଦି ଏକ କାରଣ ହୋଇଥାଏ ତେବେ ସରକାର ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ରହିଛି ।