ପାକ୍ ବିରୋଧରେ ଭାରତର ଆର୍ଥିକ ଯୁଦ୍ଧ : ‘ପାକ୍କୁ ଗ୍ରେ-ଲିଷ୍ଟରେ ସାମିଲ୍ କର’
ନୂଆଦିଲ୍ଲୀ: ଜଳଯୁଦ୍ଧ, ସାମରିକ ଯୁଦ୍ଧ ପରେ ଏବେ ପାକିସ୍ତାନ ସହ ଆର୍ଥିକ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେଉଛି । ଆଗାମୀ ଜୁନ୍ରେ ପାକିସ୍ତାନକୁ ବିଶ୍ୱବ୍ୟାଙ୍କ ୨ ହଜାର କୋଟି ଡଲାରର ସହାୟତା ଦେବାର ସମ୍ଭାବନା ରହିଛି । ବିଶ୍ୱବ୍ୟାଙ୍କ କିଭଳି ଏହି ସହାୟତା ନଦେବ ସେଥିପାଇଁ ଭାରତ ଉଦ୍ୟମ ଆରମ୍ଭ କରିଦେଇଛି । ଏହି ପ୍ରସ୍ତାବର ପୁନଃବିଚାର ପାଇଁ ଭାରତ ପକ୍ଷରୁ ବିଶ୍ୱବ୍ୟାଙ୍କକୁ ଅନୁରୋଧ କରାଯିବ । ସେହିପରି ପାକ୍କୁ ଗ୍ରେ ଲିଷ୍ଟରେ ସାମିଲ୍ କରିବା ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫକୁ ମଧ୍ୟ ଭାରତ ଅନୁରୋଧ କରିବ । ୨୦୧୮ ଜୁନ୍ରେ ପାକିସ୍ତାନ ଗ୍ରେଲିଷ୍ଟରେ ଥିଲା । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । କିନ୍ତୁ ଆତଙ୍କବାଦୀଙ୍କୁ ପାଣ୍ଠି ଦିଆଯିବ ନାହିଁ ଓ ଆତଙ୍କବାଦୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେବା ପରେ ୨୦୨୨ ଅକ୍ଟୋବରରେ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ହଟାଇ ଦିଆଯାଇଥିଲା । ପହଲଗାମ ଆତଙ୍କବାଦ ଆକ୍ରମଣରେ ପାକର ଭୂମିକା ନେଇ ଯେଉଁସବୁ ପ୍ରମାଣ ମିଳିଛି ତାହାକୁ ବି ଭାରତ ସରକାର ଅନ୍ତର୍ଜାତୀୟ ସମୁଦାୟରେ ଦର୍ଶାଇବେ । ସମ୍ପ୍ରତି ଏନେଇ ଭାରତ ପକ୍ଷରୁ ଅନେକ ସାଂସଦ ବିଦେଶ ଯାଇ ବାର୍ତ୍ତା ଦେଉଛନ୍ତି ।