ପାଣି ଟ୍ୟାପ୍ ଚୋରକୁ ୧ବର୍ଷ ସଜା
ଭୁବନେଶ୍ୱର, ୭ା୫ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ର ବିଚାରପତି ସବ୍ୟସାଚୀ ପଣ୍ଡା, ଖଣ୍ଡଗିରି ଥାନା ଅଞ୍ଚଳରେ ହୋଇଥିବା ଘରେ ପଶି ୩୦ଟି ପାଣି ଟ୍ୟାପ୍ ଚୋରି ମାମଲାର ବିଚାର କରି ଅଭିଯୁକ୍ତ ମନୋଜ ବେହେରାକୁ ଦୋଷୀ ଦାବ୍ୟସ୍ତ କରି ୧ ବର୍ଷ ପାଇଁ ସଜା ଶୁଣାଇଛନ୍ତି ।
ସୂଚନାଯୋଗ୍ୟଯେ, ଗତ ୨୦୨୩ ଫେବୃୟାରୀ ୨୬ ତାରିଖରେ ଅଭିଯୋଗକାରୀ ବିରଜା ପ୍ରସାଦ ଶତପଥୀ ଓ ତାଙ୍କର ପରିବାର ସଦସ୍ୟ ଘରେ ନଥିବା ବେଳେ ଅଭିଯୁକ୍ତ ମନୋଜ ବେହେରା ତାଙ୍କ ଘରର ପାଚେରି ଡେଇଁ ଘରେ ପସିଥିଲା ଓ ସେଠାରୁ କିଛି ପାଣି ଟ୍ୟାପ୍ ଚୋରି କରି ନେଇଯାଇଥିଲା । ଅଭିଯୋଗକାରୀ ଏନେଇ ତାଙ୍କର ପଡୋଶୀଙ୍କ ଠାରୁ ଫୋନ ମାଧ୍ୟମରେ ଖବର ପାଇବା ପରେ ତୁରନ୍ତ ଘରକୁ ଆସିଥିଲେ ଓ ୧୬ ହଜାର ଟଙ୍କାର ୩୦ଟି ଟ୍ୟାପ୍ ଚୋରି ହୋଇଥିବା ଦେଖିବା ପରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ଏତଲାକୁ ଆଧାରରେ ଖଣ୍ଡଗିରି ଥାନା କେସ ନମ୍ବର-୮୯/୨୦୨୩ ଭାରତୀୟ ପିଙ୍ଗଳ କୋଡ୍ ଦଫା-୪୫୪/୩୮୦ରେ ଏକ ମାମଲା ରୁଜୁକରି ଥାନାର ତକ୍ରାଳୀନ ଏସଆଇ ଦେବଦତ୍ତ ସାମନ୍ତରାୟଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଏସଆଇ ଶ୍ରୀ ସାମନ୍ତରାୟ ଏହି ମାମଲାକୁ ସଠିକ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ମନୋଜ ବେହେରାକୁ ଦଫା ୪୫୪ରେ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କାର ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧ ମାସର କାରାଦଣ୍ଡ ଏବଂ ଦଫା ୩୮୦ରେ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧ ମାସର କାରାଦଣ୍ଡ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ନିରଞ୍ଜନ ବେହେରା ପରିଚାଳନା କରିଥିଲେ ।