ପାଣିରେ ଫସଲ, ଚାଷୀକୁ ଚଡ଼କ

 ନିଆଳି:  ଅଦିନିଆ ବର୍ଷା ଯୋଗୁଁ ଏବେ ବିଲରେ ପାଣି ଜମି ଯାଇଛି  । କେଉଁଠି କଟା ଧାନ ପାଣି ଭିତରେ ଭାସୁଥିବାବେଳେ ଆଉ କେଉଁଠି ପାଚିଲା ଧାନ ଗଛ ଭାଙ୍ଗିଯାଇଛି  । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଚାଷୀ  ।
ନିଆଳି ବ୍ଲକର ୨୩ ପଞ୍ଚାୟତରେ ଚଳିତ ବର୍ଷ ୧୨ ହଜାର ହେକ୍ଟର ଜମିରେ ଧାନ କରାଯାଇଥିଲା  । ୪ ହଜାର ହେକ୍ଟର ଜମିର ଧାନ କଟା ହୋଇଥିବା ବେଳେ ଅବଶିଷ୍ଟ ୮ ହଜାର ହେକ୍ଟର ଜମିରେ ଧାନ ରହିଛି  । ୫ ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ସେସବୁ ଧାନରେ ଗଜା ହେବାକୁ ବସିଲାଣି  । ଫଳରେ ଚାଷୀମାନେ ଆଉ ବିଲକୁ ଯାଇ ପାଣିରୁ ଧାନ ଛାଣୁ ନାହାନ୍ତି  । ବର୍ଷକର ଖାଦ୍ୟ ଯୋଗାଡ଼ କରିବା ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିଥିଲେ । କିନ୍ତୁ ଉକ୍ତ ଟଙ୍କାରେ ଗୋଟିଏ ଧାନ ବସ୍ତା ମିଳିବା କଷ୍ଟକର ହୋଇପଡିଛି  । ଚାଷୀ ଏବେ କରିବେ କଣ? ସେଇ ଚିନ୍ତାରେ ଘାରି ହେଉଛନ୍ତି  । ବର୍ଷାର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଚାଷୀ ବିଲକୁ ଯିବାକୁ ଅମଙ୍ଗ ହେଉଛନ୍ତି  । ବୀମା ଭୁକ୍ତ ହୋଇଥିବା ଚାଷୀମାନେ ଟୋଲ ଫ୍ରି ନମ୍ବରରେ ଫୋନ୍ କଲେ ଫୋନ୍ ଲାଗୁନାହିଁ  । ନିଆଳି କୃଷି ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାଦ୍ୱାରା ଚାଷୀଙ୍କର ନାହଁ ନଥିବା କ୍ଷତି ଘଟିଛି  । ସରକାରଙ୍କ ପକ୍ଷରୁ ଯଥା ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷୟକ୍ଷତି ଯୋଗାଇ ଦେବ ପାଇଁ ଚାଷୀମାନେ ଦାବି କରିଛନ୍ତି ।