ଇରାନ୍-ଇସ୍ରାଏଲ ଲଢ଼େଇ : ପରସ୍ପରକୁ ପ୍ରଚଣ୍ଡ ପ୍ରହାର
ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ ଲଢ଼େଇ ଦିନକୁ ଦିନ ତେଜିବାରେ ଲାଗିଛି । ଆମେରିକାର ବଳ ପାଇଁ ଇସ୍ରାଏଲ ଆହୁରି ଉତ୍ସାହିତ ହୋଇ ଯାଇଥିବାବେଳେ ପାଲଟା ଜବାବ ଦେବାରେ ହେଳା କରୁନାହିଁ ଇରାନ୍ । ଆଜି ଉଭୟ ଦେଶ ପରସ୍ପର ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି । ଆଜି ଇରାନ୍ର ଆଇଆରଜିସିର କମାଣ୍ଡ ସେଣ୍ଟର, ବାସିଜ୍ ମୁଖ୍ୟାଳୟ, ତେହରାନରେ ସୁରକ୍ଷା ଯୋଗାଉଥିବା ଆଲବର୍ଜ କର୍ପସ, ଥାର-ଆଲ୍ଲା କମାଣ୍ଡ ସେଣ୍ଟର, ସୟଦ ଅଲ୍ ସୁହଦା କର୍ପସ, ଜେନେରାଲ ଇଣ୍ଟେଲିଜେନ୍ସ ନିଦେ୍ର୍ଦଶାଳୟ ଉପରେ ଇସ୍ରାଏଲ ଆକ୍ରମଣ କରିଛି । ସେପଟେ ଇସ୍ରାଏଲ ଉପରେ ଇରାନ୍ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଇରାନ ଘନଘନ ଆକ୍ରମଣ କରୁଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଇସ୍ରାଏଲର ଅନେକ ସ୍ଥାନରେ ସାଇରନ ଗର୍ଜନ କରିଥିଲା । ଇସ୍ରାଏଲର ତେଲ ଆଭିଭ ଓ ହାଇଫା ଉପରେ ଆକ୍ରମଣ କରାଯାଇଛି ବୋଲି ଇରାନ୍ ପକ୍ଷରୁ କୁହାଯାଇଛି । ସେହିପରି ଇରାନର ୬ ମିଲିଟାରୀ ଏୟାରପୋର୍ଟ ଉପରେ ଆକ୍ରମଣ କରାଯାଇଥିବା ନେଇ ଇସ୍ରାଏଲ ଦାବି କରିଛି । ଏଥିରେ ୧୫ ଫାଇଟର ଜେଟ ଓ ହେଲିକପ୍ଟର ଧ୍ୱଂସ ହୋଇଯାଇଛି ।
ଇରାନ୍-ଇସ୍ରାଏଲ ଯୁଦ୍ଧ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି । ଯାହାର ପ୍ରଭାବ ବିଶ୍ୱ ଅର୍ଥନୀତିରେ ପଡ଼ିବା ନିଶ୍ଚିତ ହୋଇଯାଇଛି । ବିଶ୍ୱର ଅଧିକାଂଶ ତୈଳ ଚାହିଦା ମଧ୍ୟପ୍ରାଚ୍ୟ ଦେଶ ହିଁ ଯୋଗାଇଥାଏ । ଇରାନ୍ ମଧ୍ୟ ତେଲ ରପ୍ତାନୀ ବନ୍ଦ କରିଦେଇଛି । ଯାହାଫଳରେ ଅଶୋଧିତ ତୈଳ ଦର ୩୦ ଡଲାର ବୃଦ୍ଧି ପାଇଛି । ଅପରପକ୍ଷରେ ଇରାନକୁ ଋଷ ସହଯୋଗ କରିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଟ୍ରମ୍ପ ଶାସନ ଭାରକୁ ଆସିବା ପରେ ଟିକସ ଯୁଦ୍ଧ ଆରମ୍ଭ କରିଦେଇଥିଲେ । ଫଳରେ ବହୁ ରାଷ୍ଟ୍ର ଟ୍ରମ୍ପ ପ୍ରଶାସନ ଉପରେ ଖପ୍ପା ହୋଇଯାଇଛନ୍ତି । ଏମିତିକି ଚାଇନା ମଧ୍ୟ ଇରାନ ଉପରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି । ଏପରିକି ଆମେରିକାକୁ ପାନେ ଦେବା ପାଇଁ ଇରାନ୍କୁ ଚାଇନା ସହଯୋଗ କରିପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।