ପାମ ଅଏଲ କମ୍ପାନୀ-ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍ଓୟୁ : ରାଜ୍ୟରେ ବଢ଼ିବ ଖାଇବାତେଲ ଉତ୍ପାଦନ

 ଭୁବନେଶ୍ୱର : ରାଜ୍ୟର କୃଷି ଔଦ୍ୟୋଗିକ ବିକାଶରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ପାମ ଅଏଲ୍ ପ୍ରସ୍ତୁତି । ଏହାସହ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଓ ନିଯୁକ୍ତି ସୃଷ୍ଟିରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଏବଂ ୪ଟି ଜିଲ୍ଲା ପାଇଁ ୩ଟି ତୈଳ ପାମ କମ୍ପାନୀ ମଧ୍ୟରେ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ରାଜ୍ୟରେ ଅଏଲ ପାମ ଚାଷ କ୍ଷେତ୍ରକୁ ବୃଦ୍ଧି କରିବ; ଯାହା ଫଳରେ ରାଜ୍ୟରେ ଖାଇବା ତେଲ ଉତ୍ପାଦନ ବୃଦ୍ଧି ପାଇବ । ଏହା ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ ଏବଂ ଗ୍ରାମୀଣ ରୋଜଗାର ସୃଷ୍ଟି ହେବ ଏବଂ କେବଳ ଚାଷୀ ନୁହନ୍ତି ଏହାଦ୍ୱାରା ଯୁବଗୋଷ୍ଠୀ ଓ ଶ୍ରମିକମାନେ ଉପକୃତ ହେବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପାମ୍ କମ୍ପାନୀର ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଏବଂ ଚୁକ୍ତି ସ୍ୱାକ୍ଷରିତ ଅବସରରେ ପ୍ରକାଶ କରିଛନ୍ତି । 
ଏନ୍ ଏମ୍ ଇଓ - ଓପି ଯୋଜନାରେ ରାଜ୍ୟରେ ଅଏଲ ପାମ୍ ପାମ୍ କାର୍ଯ୍ୟକ୍ରମ ପାଇଁ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ପକ୍ଷରୁ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଆଦି ୪ଟି ଜିଲ୍ଲା ପାଇଁ ୩ଟି ତୈଳ ପାମ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କମ୍ପାନୀଗୁଡ଼ିକ ହେଲା ପତଞ୍ଜଳୀ ଫୁଡ୍ସ ଲିମିଟେଡ୍ (କଟକ), ତୁମ୍ମାଲା ଆଗ୍ରୋ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଅନୁଗୁଳ) ଏବଂ ଲିଭ୍ ପାମ୍ ରିସୋର୍ସେସ ପ୍ରାଇଭେଟ ଲିମିଟେଡ୍ (ଢେଙ୍କାନାଳ ଓ ଯାଜପୁର) । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ବିଭାଗର ନିଦେ୍ର୍ଦଶକ ଶୁଭମ ସାକସେନା, ଉଦ୍ୟାନ କୃଷି ବିଭାଗ ନିଦେ୍ର୍ଦଶକ ନିଖିଲ ପବନ କଲ୍ୟାଣ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।