ପାରାଦୀପ ବନ୍ଦରର ବରିଷ୍ଠ କଲ୍ୟାଣ ଅଧିକାରୀଙ୍କ ଅବସର ଗ୍ରହଣ
ପାରାଦୀପ : ପାରାଦୀପ ବନ୍ଦରର ବରିଷ୍ଠ କଲ୍ୟାଣ ଅଧିକାରୀ ନିରୋଜ ପଟ୍ଟନାୟକ ମଇ ୩୧ ତାରିଖ ଦିନ ବନ୍ଦର ସେବାରୁ ଅବସର ଗ୍ରହଣ କରିଛନ୍ତି । ୧୯୬୫ ମସିହାରେ ଜନ୍ମିତ ଶ୍ରୀ ପଟ୍ଟନାୟକ ନିଜର ସ୍କୁଲ ତଥା କଲେଜ ଶିକ୍ଷା ପାରାଦୀପରେ ସମାପ୍ତ କରି ୧୯୯୨ ମସିହାରେ ପାରାଦୀପ ବନ୍ଦରରେ କନିଷ୍ଠ ହିନ୍ଦୀ ଅନୁବାଦକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ପଦୋନ୍ନତି ପାଇ ବନ୍ଦରରେ ହିନ୍ଦୀ ଅଧିକାରୀ ହୋଇଥିଲେ ଓ ରାଜଭାଷା ହିନ୍ଦୀର ପ୍ରଚାର ପ୍ରସାର ପାଇଁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ଯାହା ଫଳରେ ପାରାଦୀପ ବନ୍ଦର ବିଭିନ୍ନ ମଞ୍ଚରେ ରାଜଭାଷା ହିନ୍ଦୀରେ ପ୍ରଚାର ପ୍ରସାରରେ ଉଲ୍ଲେଖନିଅ ଯୋଗଦାନ ପାଇଁ ସମ୍ମାନିତ ହୋଇଥିଲା । ପଟ୍ଟନାୟକ ୨୦୧୯ ମସିହାରେ ବରିଷ୍ଠ କଲ୍ୟାଣ ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ । ଏହି ସମୟରେ ପଟ୍ଟନାୟକ ବନ୍ଦରର ଶ୍ରମିକ ଓ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ସ୍ଥାନୀୟ ୟୁନିଅନ ମାନଙ୍କ ସହିତ ସମନ୍ୱୟ ରଖି ସେମାନଙ୍କ ସହଯୋଗରେ ସମାଧାନ କରିବାରେ ଚେଷ୍ଟା କରିଥିଲେ । ପଟ୍ଟନାୟକ ପାରାଦୀପ ବନ୍ଦରରେ ଜଣେ ସରଳ, ମିଷ୍ଟଭାଷୀ, ସ୍ପଷ୍ଟବାଦୀ, କର୍ତବ୍ୟନିଷ୍ଠ, ନିଷ୍ଠାପର, ଶ୍ରୁଙ୍ଖଳିତ, ପରୋପକାରୀ ଅଧିକାରୀ ଭାବରେ ପରିଚିତ ଥିଲେ । ତାଙ୍କର ଅବସର ଦିନଟି ଛୁଟି ପଡୁଥିବାରୁ ୩୦ ତାରିଖ ଦିନ ପୂର୍ବାହ୍ନରେ ଅଫିସର୍ଶ ଆସୋସିଏସନ ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପଟ୍ଟନାୟକ ସମସ୍ତ କର୍ମଚାରୀ ଭାଇ ଭଉଣୀ ମାନଙ୍କୁ ନିଷ୍ଠାପର ଭାବରେ ବନ୍ଦର ପାଇଁ କାର୍ଯ୍ୟ କରି ବନ୍ଦରକୁ ୧ ନମ୍ବର ସ୍ଥାନରେ ବଜାଇ ରଖିବାକୁ ନିବେଦନ କରିଥିଲେ ଏବଂ ପାରାଦୀପ ବନ୍ଦର ତଥା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ପାଇଥିବା ସ୍ନେହ ଓ ଆଦରକୁ ସେ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଥିଲେ ।