ଖଡ଼ିଆଳ ରାସ୍ତାରେ ବିଦେଶୀ ମଦ ଦୋକାନ : ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ

ନୂଆପଡା: ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ । ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ  । ସମସ୍ୟା ଭିତରେ ସହର ବାସି । ଖଡ଼ିଆଳ ସହରରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ । ନୂଆପଡା ଜିଲ୍ଲାର ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ଜନ ଗହଳି ସ୍ଥାନରେ ରାଜ କରୁଛି ବିଦେଶୀ ମଦ ଦୋକାନ । 
ଏନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଜନ ଅସନ୍ତୋଷ ଦେଖାଦେଉଛି । ମଦ ଦୋକାନ ଗୁଡିକ ସହରର ପ୍ରାଣକେନ୍ଦ୍ରରେ ଥିବା ହେତୁ ବିଗୁଡୁଛି ପରିବେଶ ।  ଅତିଷ୍ଟ ହେଉଛନ୍ତି ହଜାର ହଜାର ଲୋକେ । ସହରର ବ୍ୟସ୍ତ ବହୁଳ ଜନ ଗହଳି ପୂର୍ଣ୍ଣ ଗୁରୁନାନକ ଛକରେ ଦୁଇଟି ବିଦେଶୀ ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ବିଗିଡିବା ସହ ସହର ବାସୀଙ୍କୁ ବିଭିନ୍ନ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ଏହି ଛକ ଦେଇ ସ୍କୁଲ କେଲେଜ, ଗୁରୁଦ୍ୱାର, ମନ୍ଦିର, ମିଶନ ଶକ୍ତି କାଫେ ଆଦି ଥିବା ବେଳେ ବିଭିନ୍ନ ସରକାରୀ ଅଫିସକୁ ଯାଉଛନ୍ତି ଲୋକେ । ଏଠାରେ ମଦୁଆଙ୍କ ଉନ୍ମୋତ କାଣ୍ଡ ସାଙ୍ଗକୁ ମଦ ଦୋକାନରେ ମଦୁଆଙ୍କ ଭିଡ଼ ପାଇଁ ଟ୍ରାଫିକ ସମସ୍ୟା ସାଙ୍ଗକୁ ସଡକ ଦୁର୍ଘଟଣା ମାନ ଘଟୁଛି । ବିଦେଶୀ ମଦ ଦୋକାନ ସହ ଖଡ଼ିଆଳ ସହରର ସ୍ଥାନେ ସ୍ଥାନେ ମଦ କୋଠି ମାନ ରହିଛି । ନିଶା କାରବାରରେ ନିଶା ବ୍ୟବସାୟୀଙ୍କ ସହ ବିଭାଗୀୟ କର୍ମଚାରୀ ମଧ୍ୟ ମାଲେମାଲ ହେଉଥିବା ବେଳେ ହଇରାଣର ଶିକାର ହେଉଛନ୍ତି ଖଡ଼ିଆଳ ସହର ବାସୀ । ଏହା ସହ ଛାପା ମୂଲ୍ୟରୁ ଚଢା ଦରରେ ମଦ ବିକ୍ରିର ଅଭିଯୋଗ ହେଉଥିଲେ ହେଁ ଅବକାରୀ ବିଭାଗ ଚୁପ ବସିଛି । ଏହି ସବୁ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଏକ ବର୍ଷେ ତଳେ ସହରବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ  ।ବର୍ତ୍ତମାନ ସହରରେ ଥିବାଗୁରୁନାନକ ଛକ ନିକଟସ୍ଥ ଥିବା  ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଖଡ଼ିଆଳ ଏନଏସିର ଏକ ସ୍ୱତନ୍ତ୍ର ବୈଠକରେ ପ୍ରସ୍ତାବ ଆଗତ କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରାଯାଇଥିଲା ହେଲେ ଆଜକୁ ବର୍ଷେ ବିତିଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏମିତିକି ପ୍ରତ୍ୟେକ ବର୍ଷ ଏନଏସି ପକ୍ଷରୁ ହେଉଥିବା ନୋ ଅବଜେକ୍ସନ ନିୟମକୁ ମଧ୍ୟ ଅବମାନନା କରି ମଦ ଦୋକାନ ଚାଲିଥିବା ଅଭିଯୋଗ ହେଉଛି, ଏଥିରେ ଚୁପ ରହିଛି ଅବକାରୀ ବିଭାଗ  । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନନେଲେ ଆଗାମୀ ଦିନରେ ସହରବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ନିୟମରେ କୌଣସି ବ୍ୟତିକ୍ରମ ହୋଇ ନାହିଁ  ଅଭିଯୋଗ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଖଡ଼ିଆଳ ଅବକାରୀ ଅଧିକାରୀ ।