ଜିଲ୍ଲାସ୍ତରୀୟ କୃଷି ନୀତି କମିଟି ବୈଠକ

 ନୂଆପଡା  : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଖରିଫ୍ ଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପନିଦେ୍ର୍ଦଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରା, ଡିଆର୍ସିଏସ୍ ଶିବ ପ୍ରସାଦ ସ୍ୱାଇଁ, ଜଳ ଛାୟା ପ୍ରକଳ୍ପ ଉପନିଦେ୍ର୍ଦଶକ ରଶ୍ମି ରଞ୍ଜନ ପାତ୍ର, ଜଳସେଚନ ବିଭାଗ ଯନ୍ତ୍ରୀ, ମାର୍କ ଫେଡ, ଇଫ୍କୋ ପରିଚାଳକ, କୃଷି ବିଭାଗର ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ ବୈଠକକୁ ସ୍ୱାଗତ କରି ନୂଆପଡା ଜିଲ୍ଲା ଭଳି କୃଷି ପ୍ରଧାନ ଜିଲ୍ଲାର ଦ୍ରୁତ ଉନ୍ନତି ପାଇଁ କୃଷିକୁ ପ୍ରାଧାନ୍ୟ ଦେବା ସହିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ଜିଲ୍ଲାର ଅଧିକରୁ ଅଧିକ ଜନସାଧାରଣଙ୍କୁ ରୋଜଗାର ସୁଯୋଗ ଯୋଗାଇ ଦେବା ପାଇଁ ଆହ୍ୱାନ ଦେଇଥିଲେ ।  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ନାୟକ ଜିଲ୍ଲାର କୃଷି ଭିତ୍ତିଭୂମି ଉପରେ ସୂଚନା ଦେଇ କହିଥିଲେ ଜିଲ୍ଲାରେ ଉପଲବ୍ଧ ଭିନ୍ନ ଭିନ୍ନ ଜଳସେଚନ ଉତ୍ସ ଅନୁଯାୟୀ, ଖରିଫ୍ ୨୦୨୫ ପାଇଁ ଭିନ୍ନ ଫସଲ ଅନ୍ତର୍ଗତ କୃଷି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ମୋଟ ୧୮୭୩୧୦ ହେକ୍ଟର ଜମି ଅନ୍ତର୍ଗତ କୃଷି କାର୍ଯ୍ୟକ୍ରମ ରଖାଯାଇଛି, ଯାହାରୁ ୯୦୩୩୦ ହେକ୍ଟର ଧାନ ଓ ୯୬୯୮୦ ହେକ୍ଟର ଅନ୍ୟାନ୍ୟ ଅଣଧାନ ଫସଲ  ରହିଛି । ଏହାଛଡ଼ା ଖରିଫ୍ ୨୦୨୫ ଅବଧି ପାଇଁ ମୋଟ ୧୪୨୨୪ କ୍ୱିଣ୍ଟାଲ୍ ବିଭିନ୍ନ ବିହନ  ମଞ୍ଜି  ଚାଷୀଙ୍କୁ ବଣ୍ଟନ ପାଇଁ ଯୋଜନା କରାଯାଇଛି, ଯାହାରେ ୧୧୩୩୫ କ୍ୱିଣ୍ଟାଲ୍ ଧାନ ମଞ୍ଜି ଓ ୨୮୮୯ କ୍ୱିଣ୍ଟାଲ୍ ଅଣଧାନ ମଞ୍ଜି ଅନ୍ତର୍ଗତ ଅଛି । ଚଳିତ ବର୍ଷ ପାଇଁ ମୋଟ ୨୨୧୦୦ ମେ.ଟନ୍ ରାସାୟନିକ ସାର ଯୋଗାଣ ଯୋଜନା କରାଯାଇଛି । ଏହାଛଡ଼ା ଖରିଫ୍ ୨୦୨୫ ଅବଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅନୁସାରେ ବ୍ଲକ୍ ଅନୁଯାୟୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି । ଏଥିରେ ଲାଇନ୍ ବିଭାଗ ଗୁଡିକ ମଧ୍ୟରୁ ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ତାଙ୍କର ଖରିଫ୍ ୨୦୨୫ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପସ୍ଥାପନ କରିଥିଲେ ।