ଯାତ୍ରୀ ବିଶ୍ରାମାଗାର ବିପର୍ଯ୍ୟସ୍ତ : ଲାକେ ହନ୍ତସନ୍ତ

ନାଉଗାଁରୁ ଅଜିତ୍ ଓଝା :  ନାଉଗାଁ ବ୍ଲକର ବ୍ଲକ ଛକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ବ୍ଲକ କାର୍ଯ୍ୟଳୟ, ତହସିଲ, ମେଡିକାଲ, ବ୍ଲକ ଛକ ବଜାରକୁ ଦୈନଦିନ ଶହ ଶହ ସଂଖ୍ୟାରେ ଲୋକ ଯିବା ଆସିବା କରିଥାନ୍ତି  । ଏହି ବ୍ଲକ ଛକ ବଜାର ନାଉଗାଁ ବ୍ଲକ ମୁଖ୍ୟରାସ୍ତା ପାର୍ଶ୍ୱରେ ଡାକବଙ୍ଗଳା ନିକଟରେ ଯାତ୍ରୀ ବିଶ୍ରାମଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି  । ଏଠାରୁ ନିତିଦିନ ଶହଶହ ସଂଖ୍ୟାରେ ଯାତ୍ରୀ ବସ ଓ ଟ୍ରେକର ସାହାଯ୍ୟରେ ଜଗତସିଂହପୁର, କଟକ, ପାରାଦ୍ୱୀପ ଓ ଭୁବନେଶ୍ୱର ଆଦି ସ୍ଥାନକୁ ଯିବା ନିମନ୍ତେ ଯାତ୍ରିବାହି ଯାନକୁ ଅପେକ୍ଷା କରି ବସୁଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଯାତ୍ରୀ ବିଶ୍ରାମଗାରଟି ସମ୍ପୂର୍ଣ୍ଣ ବିପଦ ପୂର୍ଣ୍ଣ ଅବସ୍ଥାରେ । ଏଠାରେ ଯାତ୍ରୀ ମାନେ ବସିବା ସମ୍ଭବପର ହେଉ ନାହିଁ ଏବଂ ଯାତ୍ରୀ ମାନଙ୍କ ନିମନ୍ତେ ମୌଳିକ ସୁବିଧା ଓ ଶୌଚାଳୟର ସୁବିଧା ନାହିଁ । ଯାହାଦ୍ୱାରା ଯାତ୍ରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ନାଉଗାଁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ନିକଟସ୍ଥ ଏହି ଯାତ୍ରୀ ବିଶ୍ରାମଗାରଟି ବ୍ଲକ ଅଧିକାରୀ, ନାଉଗାଁ ପଞ୍ଚାୟତ ସମିତି ଓ ନାଉଗାଁ ଗ୍ରାମ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କ କିମ୍ବା ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଗୋଚର ହେଉନଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନାଉଗାଁ ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କିଛି ଦୂରରେ ୩୦ବର୍ଷ ତଳେ ଏହି ବିଶ୍ରାମାଗାର ନିର୍ମାଣ ହୋଇଥିଲା ।ରକ୍ଷଣାବେକ୍ଷଣ ଅଭାବରୁ ବିଶ୍ରାମଗାରଟି ଜରାଜୀର୍ଣ୍ଣ ହୋଇପଡ଼ିଛି । ଯାହାଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି । ମହିଳା, ରୋଗୀ ଓ ବରିଷ୍ଠ ନାଗରିକ ଦୋକାନ ଆଗ ଓ ରାସ୍ତାକଡ଼ରେ ଖରାରେ ଠିଆହୋଇ ଗାଡ଼ିକୁ ପ୍ରତୀକ୍ଷା କରୁଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ପଞ୍ଚାୟତକୁ ଲକ୍ଷ୍ମୀବସ୍ ଚଳାଚଳ କରିବା ଆରମ୍ଭ କରିଥିବା ବେଳେ ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ଉକ୍ତ ବିଶ୍ରାମାଗାର ପୁନରୁଦ୍ଧାର ଓ ଯାତ୍ରୀ ମାନଙ୍କ ମୌଳିକ ସୁବିଧା ନିମନ୍ତେ ଏଠାରେ ଶୌଚାଳୟ ନିର୍ମାଣ  ନିମନ୍ତେ ପାଇଁ ସାଧାରଣରେ ଦାବି ହେଉଛି ।