ପୁଣି ଚର୍ଚ୍ଚାରେ ତାଳଗାଡ଼ିଆ ସେବାଶ୍ରମ : ଲୁଚି ଖସି ଆସିଲେ ୩ ନିର୍ଯାତିତ ଛାତ୍ର
ବ୍ୟାସନଗର: ପୁଣି ଚର୍ଚ୍ଚାରେ ତଳଗାଡ଼ିଆ ସେବାଶ୍ରମ । ଅବ୍ୟବସ୍ଥା ହେଉ କି ଅନ୍ୟାନ୍ୟ କାରଣରୁ ସରକାରୀ ପରିଚାଳିତ କୋରେଇ ବ୍ଲକର ତାଳଗାଡ଼ିଆ ସେବାଶ୍ରମ ବିଗତଦିନରେ ଚର୍ଚ୍ଚାକୁ ଆସିଥିବା ବେଳେ ଉକ୍ତ ଆଶ୍ରମରେ ଛାତ୍ରଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଭଳି ସାଂଘାତିକ ଖବର ସାମ୍ନାକୁ ଆସିଛି । ସେବାଶ୍ରମର ୩ ଛାତ୍ର ନିର୍ଯ୍ୟାତନା ସହିନପାରି ଲୁଚିକରି ଦୀର୍ଘ ୬କିମି ଚାଲିଚାଲି କରି ପଳାଇ ଆସିବା ଏବଂ ରାସ୍ତାରେ କିଛି ଯୁବକଙ୍କ ହାବୁଡ଼ରେ ପଡ଼ିବାପରେ କଥାଟି ସାମ୍ନାକୁ ଆସିଛି ।
ଖବର ମତେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଘଟିକା ସମୟରେ ୩ଜଣ ନାବାଳକ ନହକା-ଖଇରା ରାସ୍ତାରେ ଚାଲିଚାଲି ଆସି ବଳଦିଆ ନିକଟ ଏକ ଦୋକାନ ବାରଣ୍ଡାରେ ବସିପଡ଼ିଥିଲେ । ସ୍ଥାନୀୟ କିଛି ଯୁବକ ଅଚିହ୍ନାପିଲାଙ୍କୁ ଦେଖି ତାଙ୍କୁ ପଚରା ଉଚରା କରିବା ପରେ ସେମାନେ ତାଳଗାଡ଼ିଆ ସେବାଶ୍ରମରୁ ଲୁଚିକି ପଳାଇ ଆସିଥିବା କଥା କହିଥିଲେ । ଏହା ଜାଣିବା ପରେ ସଂପୃକ୍ତ ଯୁବକ ସମାଜସେବୀ ଲିଟୁନ ନାୟକଙ୍କୁ ଖବର କରିଥିଲେ । ଲିଟୁନ ପହଁଚି ପିଲାଙ୍କୁ ପଚରା ଉଚରା କରିବା ପରେ ସେବାଶ୍ରମରେ ସିନିୟର ପିଲା ପାଇପ୍ରେ ପିଟୁଥିବାରୁ ସେମାନେ ଲୁଚିକରି ପଳାଇ ଆସିଥିବା କଥା କହିଥିଲେ । ସଂପୃକ୍ତ ଛାତ୍ର ୩ଜଣଙ୍କ ମଧ୍ୟରୁ ୨ ଜଣ ୬ଷ୍ଟ ଏବଂ ଜଣେ ୫ମରେ ପଢୁୁଥିବା କଥା କହିଥିଲେ । ସୋଲେଇ, ଟମକା ଏବଂ ହଳଦିଗାଡ଼ିଆ ଅଂଚଳର ଉକ୍ତ ଛାତ୍ର କହିଥିଲେ କି ସେମାନେ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ବି ସେମାନେ କିଛି ଶୁଣିନଥିଲେ । ବାଧ୍ୟ ହୋଇ ଭୟରେ ଆମେ ଲୁଚିକି ଚାଲିଚାଲି ପଳାଇ ଆସିଲୁ । ଏଖବର ସାମାଜିକ ଗଣମାଧ୍ୟମରେ ଖିପ୍ରଗତିରେ ପ୍ରଚାରିତ ହୋଇଯିବା ପରେ ସେବାଶ୍ରମର ଦୁଇଜଣ ଶିକ୍ଷକ ଘଟଣା ସ୍ଥଳରେ ପହଁଚିଥିଲେ ହେଁ ଉତେଜନା ପରିସ୍ଥିତି ଦେଖି ପଳାଇ ଯାଇଥିଲେ । ଖବରପାଇ କୋରେଇ ପୁଲିସ ପହଁଚି ଛାତ୍ରଙ୍କୁ ନେଇଯାଇଥିଲେ । ଅନ୍ୟପକ୍ଷରେ ଏନେଇ ସେବାଶ୍ରମ ଅଧ୍ୟକ୍ଷ ସଂଜୟ କୁମାର ମଲିକଙ୍କୁ ପଚାରିବାରେ ସେକହିଥିଲେ କି ଛାତ୍ର୩ଜଣ ଲୁଚିକରି ପଳାଇଥିବା କଥା ଜାଣିବା ପରେ ମୁଁ ସେମାନଙ୍କୁ ଖୋଜିବାକୁ ଯାଇଥିଲି । ସେମାନଙ୍କୁ ସିନିୟର ପିଲା ମାରପିଟ କରିଥିବା କଥା ମୋ ପାଖରେ ପହଁଚିନଥିଲା । ଏଣୁ ମୁଁ ଜାଣିବାକୁ ପାଇନଥିଲି । ଛାତ୍ର ୩ଜଣ ଥାନାରେ ଅଛନ୍ତି, ପୁଲିସ ଯାହା କରିବ ବୋଲି କହିଥିଲେ । ତେବେ ଆମପାଖରେ ଯାହା ଖବର ରହିଛି ପୁଲିସ ଛାତ୍ର ଅଭିଭାବକଙ୍କୁ ଡ଼କାଇ ସେମାନଙ୍କ ସହ ଆଲୋଚନା କରିବା ଅପେକ୍ଷାରେ ରହିଛି ।