ପୁରାତନ ଶୈବ ପୀଠର ଉନ୍ନତିକରଣ ପାଇଁ ଦାବି

 ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କ ସହ ବିଭିନ୍ନ କ୍ଷେତ୍ରର ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଦିନକ ପୂର୍ବରୁ ସେ ଚାରୋଟି ମହାବିଦ୍ୟାଳୟର ଭିତ୍ତିଭୂମୀ ବିକାଶ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଆଜି ବାଲେଶ୍ୱର ସହରର ଦୁଇ ପ୍ରମୁଖ ଓ ପୁରାତନ ଶୈବ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି । ସେ ଏହି ଅବସରରେ ପୁରୁଣା ବାଲେଶ୍ୱର ସ୍ଥିତ ବାବା ବାଣେଶ୍ୱର ମନ୍ଦିର ଓ ବାଲେଶ୍ୱରର ପ୍ରସିଦ୍ଧ ବାବା ଝାଡେଶ୍ୱର ମନ୍ଦିରର ସୁବ୍ୟବସ୍ଥିତ ଭିତ୍ତିଭୂମିର ବିକାଶ ପାଇଁ ଆର୍ଥôକ ଅନୁଦାନ ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦୁଇ ମନ୍ଦିର ବାଲେଶ୍ୱରବାସୀଙ୍କ ଆଧ୍ୟାତ୍ମିକ ଚେତନା ସହ ଓତପ୍ରୋତ ଭାବେ ଜଡ଼ିତ । ଏଣୁ ଦୁଇ ଶୈବ ପୀଠର ଆଭ୍ୟନ୍ତରୀଣ ସହିତ ପାରିପାର୍ଶ୍ୱିକ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ଅନୁଦାନ ମଞ୍ଜୁର କରିବାକୁ ବିଧାୟକ ଶ୍ରୀ ଦତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ନିକଟରେ ଦାବି ଜଣାଇଛନ୍ତି ।  ପୁରାତନ ମନ୍ଦିରଗୁଡିକର ସଂରକ୍ଷଣ ତଥା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ଖୁବ୍ଶୀଘ୍ର ବାଲେଶ୍ୱର ସହରର ଦୁଇ ଶୈବ ପୀଠ ପାଇଁ ଆବଶ୍ୟକୀୟ ଅନୁଦାନ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରତିଶ୍ରୁତି ଦେଇଥିବା ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି ।