ପୁରିପଡା ଦଳିତସାହି ରାସ୍ତା ବିପର୍ଯ୍ୟସ୍ତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ପୁରିପଡା ଦଳିତ ସାହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ୧୦ ବର୍ଷ ଧରି କରିଆସୁଥିବା ଗୁହାରୀ ବିଫଳ ହୋଇଛି । ସଂପୃକ୍ତ ଅଞ୍ଚଳର ଦଲାଲମାନେ ରାଜନୈତିକ ଦୂରଭିସନ୍ଧି ରଖି ରାସ୍ତା ନିର୍ମାଣକୁ ବିଫଳ କରିଦେଉଥିବା ଗାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମର ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଶାଳଣିଆ ବ୍ରାଞ୍ଚ କେନାଲ ଅଧିନ ପୁରିପଡା ମାଇନର କେନାଲ ଅଣଓସାରିଆ କଚାବନ୍ଧ ଉପରେ ଥିବା ସାହି ରାସ୍ତା ଯାତାୟତ ପାଇଁ ଅନୁପଯୋଗୀ ।
୨ ବର୍ଷ ପୂର୍ବେ କେନାଲ ବନ୍ଧ ଉପରେ ମାଟି ପକାଯାଇ ପାଦଚଲା ରାସ୍ତାକୁ ଅଧିକ ବିପର୍ଯ୍ୟସ୍ତ କରାଯାଇଥିଲା । ସାହିମୁଣ୍ଡରେ ଥିବା କେନାଲ ମଝିରେ ଏକ କଲର୍ଭଟ ନିର୍ମାଣ କରାଯାଇଛି । ଏହି ସ୍ଥାନରେ କେନାଲ ଭିତରେ ମାଟି ପକାଯାଇ ଜଳସେଚନକୁ ଠିକାଦାର ଅବରୋଧ କରିଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଫଳରେ ବର୍ଷା ପାଣି ଜମିରହି ରାସ୍ତା ପାଣି କାଦୁଅ ପୂର୍ଣ୍ଣ ହେଉଛି । ବର୍ଷ ବର୍ଷ ଧରି ଏଭଳି ଅବସ୍ଥା ଲାଗି ରହିଥିଲେ ମଧ୍ୟ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି ।
ଗତ ୨୦୨୩ ମାର୍ଚ୍ଚ ମାସରେ ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗରେ ଉତକ୍ଷିପ୍ତ ହୋଇ ଦଲାଲମାନେ ଏହି ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ମହଜୁଦ ରଖାଯାଇଥିବା ମୋରମକୁ ଉଠାଇନେଇଥିଲେ । ରାସ୍ତା ମରାମତ କରିବାକୁ ଶାଳଣିଆ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତତ୍କାଳୀନ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ବିଭାଗୀୟ ଯନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ଓହରି ଯାଇଥିଲେ । ପ୍ରଶାସନ ବି ତୁନି ପଡିଥିଲା । ହେଲେ ପୂର୍ବଭଳି ଗ୍ରାମବାସୀମାନେ ରାସ୍ତା ପାଇଁ ହିନସ୍ତା ହେଉଥିଲେ ବି ସେମାନଙ୍କ ସକଳ ଉଦ୍ୟମ ବିଫଳ ହୋଇଥିବା ଜଣାଯାଇଛି । ଏବେ ଏହି ଅଣଓସାରିଆ ରାସ୍ତା ମଝିରେ ଲମ୍ବା ଫାଟ ସାହିବାସୀଙ୍କ ପାଇଁ ବିପଦର କାରଣ ଭାବେ ଉଭା ହୋଇଛି । ପ୍ରଶାସନର କ୍ଷଣଭଙ୍ଗୁର ନୀତି ଯୋଗୁଁ ସାହିବାସୀ ରାସ୍ତା ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚôତ ହୋଇଥିବା ଜଣାଯାଇଛି ।