ପୁର୍ନଗଠନ ହେଉନି ବିଦ୍ୟାଳୟ ପରିଚାଳନା କମିଟି: ଜିଲ୍ଲାପାଳଙ୍କୁ ଅଭିଯୋଗ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର କୁଲଣା ସାଧନକେନ୍ଦ୍ର ଓ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଦ୍ୟାଳୟଗୁଡିକର ପରିଚାଳନା କମିଟି ଗଠନ ହୋଇପାରୁ ନାହିଁ । କମିଟି ଅଭାବରୁ ବିଦ୍ୟାଳୟ ଅନୁଦାନ ପାଣ୍ଠି ବିନିଯୋଗ ହୋଇପାରୁ ନାହିଁ । ନୂତନ କମିଟି ଗଠନ ପାଇଁ ସରପଞ୍ଚ ତତ୍ପରତା ଦେଖାଉ ନାହାନ୍ତି । ଏଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଛି । ପ୍ରଦୀପ ସାହୁ, କୈଳାସ ସାହୁ, ମାୟାଧର ସାହୁ, ଶରତ ସାହୁ, ବସନ୍ତ କୁମାର ବିଶ୍ୱାଳ, ମାନସ ଭୂୟାଁ, ଧନେଶ୍ୱର ବିଶ୍ୱାଳ ପ୍ରମୁଖ ଏଥିନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନୂତନ ପରିଚାଳନା କମିଟି ଗଠନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିବା ଜଣାଯାଇଛି । ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ ଏହି ଅଭିଯୋଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଇଓ ଅଧିର କୁମାର ତରାଇଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ତେସିଙ୍ଗା ଓ ଝୁଟୁଣା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିକ୍ଷା ଷ୍ଟାଣ୍ଡିଂ କମିଟି ଗତ ୫ ବର୍ଷ ଧରି ଗଠନ ହୋଇନଥିବା ଜଣାଯାଇଛି । ପଞ୍ଚାୟତସ୍ତରୀୟ ଶିକ୍ଷା ଷ୍ଟାଣ୍ଡିଂ କମିଟି ଅଭାବ ହିଁ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଦିଗରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି । ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଶିକ୍ଷା ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରି ହୋଇପାରୁ ନାହିଁ । ଏହାର ପ୍ରତିକାର କରାଯିବାକୁ ଦାବି ହୋଇଛି ।