ପୁରୁଣା ଡ୍ରେନର ପୁନରୁଦ୍ଧାର ନହୋଇ ଚାଲିଛି ନୂଆ 

ଜଟଣୀ : ପୌରାପରିଷଦର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ କୋମାରେ, ପୌରପରିଷଦ ଅନ୍ତର୍ଗତ ୧୬ଟି ୱାର୍ଡରେ ଥିବା ଡ୍ରେନ୍ର ଅବସ୍ଥା ଅତି ଶୋଚନୀୟ ପଡିଛି । ସହରର ମୁଖ୍ୟ ରାସ୍ତା ଖୋର୍ଦ୍ଧାରୁ ପିପିଲି ସଂଯୋଗ କରୁଥିବା ବ୍ଲକ ଛକରୁ ସୀତାରାମ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଡ୍ରେନ୍ ବର୍ତ୍ତମାନ ସୁଦ୍ଧା ପରିଷ୍କାର କରାଯାଇ ପୁନଃରୁଦ୍ଧାର ହୋଇପାରିନାହିଁ । ୩ ନଂ ୱାର୍ଡର ଅରବିନ୍ଦ ମାର୍ଗ ଠାରୁ ଦୁର୍ଗା ମାର୍କେଟ, ୱାର୍ଡ ନଂ ୫ ରାଜାବଜାର ଥିବା ଡ୍ରେନ୍ର କିଛି ଭାଗ ସଫା ହୋଇ ନାଳରୁ ବାହାରିବା ଅଳିଆ ଆବର୍ଜନା ବୁହା ନ ଯିବା ଫଳରେ କାଳ ବୈଶାଖୀ ବର୍ଷାରେ ସେହି ଅଳିଆ ଆବର୍ଜନା ପୁଣି ନାଳରେ ପଡି ଜାମ ହେଉଛି । ୱାର୍ଡ ନଂ ୭ ବାଲିଛକ ସାହିର ମୁଖ୍ୟ ରାସ୍ତା ଡାକ୍ତର ବିକ୍ରମ ଖୟାଁ ଘର ଠାରୁ ମୁରଲୀ ମହାନ୍ତି ଘର ପର୍ଯ୍ୟନ୍ତ ଡ୍ରେନର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି  । ଡ୍ରେନ ସମ୍ପୂର୍ଣ୍ଣ ଖୋଳି ହୋଇ ଭଗ୍ନ ଅବସ୍ଥାରେ ପଡ଼ିରହିଛ  । ଡ୍ରେନର ଅଧିକାଂଶ ଭାଗରେ ସ୍ଲାବ ମଧ୍ୟ ନାହିଁ । ରାସ୍ତାଟି ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ଥିବାରୁ ଦୁଇଟି ଗାଡି ଏକକାଳୀନ ଯିବା ସମୟରେ ଭାରଶ୍ୟାମ ହରାଇ ଡ୍ରେନରେ ପଡି ଛୋଟ ଛୋଟ ଦୁର୍ଘଟଣା ଘଟୁଛି । ବାଳିକା ବିଦ୍ୟାଳୟ ଠାରୁ ରେତଙ୍ଗ କଲୋନୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ମାଡି ବସି ଦୋକାନ ଗୃହ କରିଥିବା ଲୋକଙ୍କଠାରୁ ରାସ୍ତାର ପୁନଃରୁଦ୍ଧାର ନ କରି ରସ୍ତାକୁ ସଂକୀର୍ଣ୍ଣ କରି ଅଙ୍କାବଙ୍କା ଭାବେ ଡ୍ରେନ୍ ନିର୍ମାଣ ସମ୍ପୂର୍ଣ୍ଣ ନ ହେବା ଫଳରେ ଅର୍ଦ୍ଧ ନିର୍ମିତ ଡ୍ରେନ୍ ଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି । ସହରର ପରିମଳ ପାଇଁ ପୌରପରିଷ ଏକ ଠିକା ସଂସ୍ଥା ମାଧ୍ୟମରେ ମାସିକ ୨୨ ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିମଳ ବ୍ୟବସ୍ଥା ଭିତ୍ତିହୀନ ବୋଲି ଜଣାଯାଏ । ଯେଉଁଠି ପୂର୍ବରୁ ୧୩୭ ଜଣ ସଫେଇ କର୍ମଚାରୀ କାମ କରୁଥିଲେ ବର୍ତ୍ତମାନ ୨୪୭ ଜଣ ଠିକା କର୍ମଚାରୀ ସଫେଇ ଠାରୁ ଆରମ୍ଭ କରି ଡ୍ରେନ୍ର ପୁନଃରୁଦ୍ଧାର କାର୍ଯ୍ୟ ସଠିକ ଭାବେ ହେଉନାହିଁ । ପୁନଃରୁଦ୍ଧାର କରା ନ ଯାଇ ୱାର୍ଡ ନଂ ୮ ଏବଂ ୱାର୍ଡ ନଂ ୧୧ରେ ନୂତନ ଡ୍ରେନ୍ ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଦ୍ଧିଜୀବୀଙ୍କ ମତରେ ଜଟଣୀ ପୌରପରିଷଦ ଦୁର୍ନୀତିର ଗନ୍ତାଘର ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । ଏଥର ମୌସୁମୀ ବର୍ଷାରେ ଜଟଣୀ ସହର ସମ୍ପୂର୍ଣ୍ଣ ଭାସିବ । ପୌରପ୍ରଶାସନ କେବେ ଏଥିପ୍ରତି ସଜାଗ ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍ ଗୁଡିକୁ ପୁନଃରୁଦ୍ଧାର କରୁଛନ୍ତି ତାହା ଦେଖିବାର ବାକିରହିଲା ।