ପୁଲିସ କବ୍ଜାରେ ୩ ଲୁଟେରା
ବୁଗୁଡା : ଗତ ୮ ତାରିଖରେ ବୁଗୁଡା ଥାନା ଅଞ୍ଚଳରେ ଜନୈକ କ୍ୟାମେରାମାନଙ୍କୁ ନିଶା ଦେଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ଘଟଣାର ତଦନ୍ତ ବେଳେ ବୁଗୁଡା ପୋଲିସ୍ ପଞ୍ଝାରେ ୩ ଜଣ ଲୁଟେରା ଧରା ପଡିଥିବା ବେଳେ ସେମାନେ ପୁରୁଷୋତ୍ତମପୁର ଥାନା ଇଲାକାର ଏକ ଲୁଟ୍ ଘଟଣାରେ ଜଡିତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ପ୍ରକାଶ ଯେ, ସ୍ଥାନୀୟ ସିନେମା ହଲ ଛକଠାରେ ଷ୍ଟୁଡିଓ କରିଥିବା ସଂଗ୍ରାମ କୁମାର ବିଷୋୟୀଙ୍କୁ କରଚୁଲିର ଏକ ସ୍କୁଲ କାର୍ଯ୍ୟକ୍ରମରେ ଫଟୋ ଉଠାଇବାକୁ ଜନୈକ ଅଜଣା ବ୍ୟକ୍ତି ତାଙ୍କୁ କହି ବାଇକରେ ବସାଇ ନେଇ ବାଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରାଇ ଲକ୍ଷାଧିକ ଟଙ୍କା ମୂଲ୍ୟର କ୍ୟାମେରା ସହିତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଏ ନେଇ ବୁଗୁଡା ଥାନାରେ ଅଭିଯୋଗ ପରେ ପୋଲିସ କେସ୍ ନଂ ୨୧/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ଏହି ଘଟଣାର ତଦନ୍ତ କାଳରେ ଗତ ୧୬ ତାରିଖ ରାତିରେ ବୁଗୁଡା ପୋଲିସ ଜଗନ୍ନାଥପ୍ରସାଦ ଓ କରସିଙ୍ଗି ଅଞ୍ଚଳରୁ ୩ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ଖୋଳତାଡ଼ ବେଳେ ସେମାନେ ବୁଗୁଡା ଲୁଟ୍ ଘଟଣା ନୁହଁ ବରଂ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ତଳଦିନେ ଜନୈକା ବୃଦ୍ଧାଙ୍କୁ ନିଶା ଦେଇ ଲୁଟ୍ ହୋଇଥିବା ଘଟଣା ସହିତ ଜଡିତ ଥିବା ଜଣାପଡ଼ିଥିଲା । ଏହା ଜଣା ପଡିବା ପରେ ବୁଗୁଡ଼ା ପୋଲିସ ପୁରୁଷୋତ୍ତମପୁର ପୋଲିସକୁ ସେହି ୩ ଜଣ ଲୁଟେରାଙ୍କୁ ହସ୍ତାନ୍ତର କରିଥିଲା । ତେବେ ବୁଗୁଡା ଲୁଟ୍ ଘଟଣାର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ପାଇଛି ।