ପୁଲିସ ଗାଡ଼ି ଯାଞ୍ଚ କ୍ଷମତା ପ୍ରଦାନ କଲେ ଚକ ବନ୍ଦ ଚେତାବନୀ : ନିଖିଳ ଓଡିଶା ମିନି ଟ୍ରକ୍ ମାଲିକ ମହାସଂଘ

ଭୁବନେଶ୍ବର : ପୁଲିସକୁ ଗାଡ଼ି ଯାଞ୍ଚ କ୍ଷମତା ପ୍ରଦାନ କରିବା ଲାଗି ପରିବହନ କମିସନର ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାକୁ ନିଖିଳ ଓଡିଶା ମିନି ଟ୍ରକ ମାଲିକ ମହାସଂଘ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ମହାସଂଘ ପକ୍ଷରୁ ରାଜ୍ୟ ସରରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ସରକାର ଯଦି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ନ କରନ୍ତି ତେବେ ରାଜ୍ୟବ୍ୟାପୀ ଚକାବନ୍ଦ ଆନ୍ଦୋଳନ କରାଯିବ ବୋଲି ମାଲିକ ମହାସଂଘର ସଭାପତି ଗଣେଶ ମାହାରୀ ଚେତାବନୀ ଦେଇଛନ୍ତି।
ଏ ନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମହାସଂଘର ସଭାପତି କହିଛନ୍ତି ଯେ, ଅତୀତରେ ପୁଲିସ ବିଭାଗକୁ ଗାଡି ଯାଞ୍ଚ କ୍ଷମତା ଦେବା ଲାଗି ବହୁବାର ପ୍ରୟାସ କରାଯାଇଥିଲା, ହେଲେ ପରବର୍ତ୍ତୀ ସମୟରେ ତାହା ବିଫଳ ହେଇଥିଲା। କାରଣ ବିଗତବର୍ଷରେ ଏ ସମ୍ପର୍କିତ ପ୍ରସ୍ତାବକୁ ଖୋଦ୍ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ କମିଟିଗୁଡିକ ପକ୍ଷରୁ ନାପସନ୍ଦ କରାଯାଇଥିଲା। ଅନ୍ୟପଟେ ପୁଲିସ ବିଭାଗର ପ୍ରାଥମିକ ଦାୟିତ୍ବ ହେଉଛି ଆଇନ ଶୃଙ୍ଖଳା ରକ୍ଷା କରିବା। ସେମାନଙ୍କର କର୍ମଚାରୀ ଅଭାବ ରହିଥିବା ଦର୍ଶାଇ ପୁଲିସ ନିଜର ଦାୟିତ୍ବକୁ ଠିକ୍ ଭାବେ ନିର୍ବାହ କରିପାରୁନାହିଁ। ଏପଟେ ଯାନବାହନ ଯାଞ୍ଚ କରିବା ଲାଗି ସ୍ବତନ୍ତ୍ର ଭାବେ ପରିବହନ ବିଭାଗ ରହିଛି। ଏପରିସ୍ଥଳେ ପୁଲିସକୁ ଏହି ଯାଞ୍ଚ କ୍ଷମତା ପ୍ରଦାନ କରାଯିବା ଲାଗି ପ୍ରସ୍ତାବ ଦିଆଯିବା କେତେ ଦୂର୍ ଯଥାର୍ଥ ତାହା ରାଜ୍ୟ ସରକାର ବିଚାର କରିବା ଉଚିତ୍ । ସେହିପରି ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାରେ ଜବତ ହେଉଥିବା ଗାଡିଗୁଡିକୁ ଥାନାରୁ ଆଣିବା ଲାଗି ମାଲିକମାନେ ଯେଉଁଭଳି ଭାବେ ଜୁଲମର ଶିକାର ହୁଅନ୍ତି ତାହା କାହାକୁ ଅଛପା ନୁହେଁ। ତେଣୁ ପୁଲିସକୁ ଗାଡ଼ି ଯାଞ୍ଚ କ୍ଷମତା ପ୍ରଦାନ ନ କରିବାକୁ ବସ୍ ଓ ଟ୍ରକ୍ ମାଲିକ ମହାସଂଘ ଦାବି କରିଛନ୍ତି। ଯଦି ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ନ କରନ୍ତି, ତେବେ ମାଲିକମାନେ ରାଜ୍ୟବ୍ୟାପୀ ଚକାବନ୍ଦ ଆନ୍ଦୋଳନ କରିବେ। ଏଥିଲାଗି ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଖୋଦ୍ ସରକାର ଦାୟି ରହିବେ ବୋଲି ମହାସଂଘ ଚେତାଇ ଦେଇଛି।