ପୋଖରୀରୁ ମେସିନ୍ ଜବତ କଲେ ମନ୍ତ୍ରୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ମନରେଗା କାମ ଶ୍ରମିକ ବଦଳରେ ମେସିନ୍ କରୁଥିବାବେଳେ ଚେନମାଉଣ୍ଟିଙ୍ଗ ମେସିନକୁ ଜବତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ପ୍ରକାଶ ଯେ, ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଉଥିବା ସମୟରେ ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତ ଅଧିନସ୍ଥ ତୁଲୁଣ୍ଡୁପାଲି ଗ୍ରାମର ତୁଣ୍ଡୁପାଲି ଛକରେ ଥିବା ଗଜାସାଗର ବନ୍ଦ ପୋଖରୀରେ ଶ୍ରମିକ ବଦଳେ  ଚେନମାଉଣ୍ଟିଙ୍ଗ ଗାଡି ସାହାଯ୍ୟରେ ମାଟି କାମ କରୁଥିବା ଦେଖି ମନ୍ତ୍ରୀ  ରାସ୍ତାରେ ଗାଡି ଅଟକାଇ ପୋଖରୀକୁ ଯାଇ ତଦନ୍ତ କରିଥିଲେ । ସେଠାରେ ତୁଣ୍ଡୁପାଲି ଗ୍ରାମର ଦିନ ମଜୁରିଆମାନେ ମନ୍ତ୍ରୀଙ୍କୁ କାମ ନ ଦେଇ ମେସିନ କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ । ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ମନରେଗାରେ ଶ୍ରମିକ ନିୟୋଜନ ହୋଇ କାମ କରିବା କଥା । ମାତ୍ର ଚେନ୍ ଚେନମାଉଣ୍ଟିଙ୍ଗରେ କାମ କରୁଥିବା ଦେଖିବାକୁ ପାଇ ମନ୍ତ୍ରୀ ବିରକ୍ତି ଭାବ ହୋଇଥିଲେ । ଏବଂ ମନ୍ତ୍ରୀଙ୍କ ଉପସ୍ଥିତରେ ଜିଲ୍ଲାପାଳ ଅନ୍ୟା ଦାସ, ବିନିକା ତହସିଲଦାର ଓ ବିନିକା ପୁଲିସ ପ୍ରଶାସନ ଉପସ୍ଥିତିରେ ଚେନମାଉଣ୍ଟିଙ୍ଗ ଗାଡିକୁ ଜବତ କରାଯାଇଥିଲା । ସେ କହିଥିଲେ ଆମ ସମ୍ମୁଖରେ ଦିନ ମଜୁରିଆ କାମ ପାଉ ନ ଥିବା ଅଭିଯୋଗ କରୁଥିବାବେଳେ ଦିନ ଦ୍ୱିପ୍ରହରେ ମଜୁରିଆଙ୍କ ପେଟରେ ଲାତମାରି ମେସିନ ଦ୍ୱାରା ମାଟି ଉଠାଣ କରାଯାଉଥିବା ଏକ ନିନ୍ଦନିୟ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ଏହି ସମୟରେ ବୀରମାହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କମ୍ ସିଡିଓ ଅଶ୍ୱିନୀ ମେହେର ସମେତ ଗ୍ରାମର ମଜୁରିଆ, ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।