ମଦ ଦୋକାନକୁ ବିରୋଧ
କବାଟବନ୍ଧ : ଜେନାପୁର ଥାନା ଅଧିନ କାଦୁଆ ମାଗୁରା ଛକ ଠାରେ ଥିବା ନାୟକ ମଦ ବାରକୁ ସ୍ଥାନୀୟ ଦୁଇ ପଞ୍ଚାୟତର ଶତାଧିକ ମହିଳା ବିରୋଧ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜେନାପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଶନିବାର ୧୦ତାରିଖରେ ମହିଶରା ଓ ସାମ୍ପାରୁ ଯାହାକି ଅବିଭକ୍ତ ମହିଶାରା ପଞ୍ଚାୟତର ଶତାଧିକ ମହିଳା ଜେନାପୁର ଥାନାରେ ଅଭିଯୋଗ କରିବା ସହିତ ମାଲିକ ସତ୍ୟବ୍ରତ ନାୟକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି । ଦୀର୍ଘ କିଛି ବର୍ଷ ଧରି ଏଠାରେ ଏହି ବାରଟି ଚାଲି ଆସିଥିବା ବେଳେ ପଦ୍ମାବତୀ କ୍ରସର ଘଟଣାରେ ମତ ମନ୍ତବ୍ୟକୁ ନେଇ ମାଡ଼ପିଟି ହୋଇ ସୁଜିତ ଜେନା ଗୁରୁତର ହେବା ପରେ ଏବେ ବାରକୁ ନେଇ ପ୍ରଶ୍ନ ଉଠିଛି । ଅଭିଯୋଗ ଅନୁଯାୟୀ ଉକ୍ତ ବାରଟି ସେହି ସ୍ଥାନରେ ଚାଲିବା ଦ୍ୱାରା ବିଶେଷ ଭାବରେ ଦୁଇ ପଞ୍ଚାୟତର ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେମିତିକି ସ୍ୱପ୍ୱେଶ୍ୱର ଉଚ୍ଚ ବିଦ୍ୟାଳୟ ବାର ଠାରୁ ୪ଶହ ମିଟର ଦୂରରେ ଥିବାରୁ ପିଲାମାନେ ମଦୁଆ ହେବା ସହ ମଦ୍ୟପଙ୍କ ଭୟରେ ପିଲା ବିଦ୍ୟାଳୟ ଆସୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଦ୍ୱିତୀୟତ ସନ୍ଧ୍ୟା ସମୟରେ ମଦ୍ୟପଙ୍କ ଦୌରତ୍ମ୍ୟ ବଢ଼ି ଯାଉଥିବାରୁ ଲୋକେ ଯାତାୟତ କରିବାକୁ ଭୟ କରୁଛନ୍ତି । ମଦ୍ୟପାନ କରି ଯୁବକ ମାନେ ପଥ ଭ୍ରଷ୍ଟ ହେବା ସହିତ କଳି ଝଗଡା ଗାଁ ଗାଁ ମଧ୍ୟରେ ଘର ପରିବାର ମଧ୍ୟରେ ସୃଷ୍ଟି ହେଉଛି । ଏହାମୁଖ୍ୟ ରାସ୍ତା ପାର୍ଶ୍ୱରେ ହୋଇଥିବାରୁ ମଦପିଇ ସାରିବା ପରେ ବାଟରେ ଯାଉଥିବା ଲୋକମାନଙ୍କୁ ମଦ୍ୟପ ଅଶ୍ଳୀଳ ଗାଳି ଗୁଲଜ କରୁଛନ୍ତି । ଏଥିସହିତ ସେମାନେ ଆହୁରି ମଧ୍ୟ ମାଲିକ ସତ୍ୟବ୍ରତ ନାୟକଙ୍କ ନାମରେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏତେ ଅଭିଯୋଗ ଯଦି ରହିଛି ତେବେ ବିଭାଗୀୟ ଅଧିକାରୀ ଆଜି ପର୍ଯ୍ୟନ୍ତ କେଉଁ ସ୍ୱାର୍ଥରେ ଚୁପ ରହୁଛନ୍ତି । ଯଦି ସେଠାରେ ମଦ ବାର ଖୋଲିବାରେ ଏତେ ଆଇନ ଗତ ବାଧା ରହିଥିଲା ତେବେ ସେମାନେ ଅଭିଯୋଗ ବିହୀନ ପ୍ରମାଣ ପତ୍ର କିପରି ଦେଲେ ତାକୁ ନେଇ ମଧ୍ୟ ପ୍ରଶ୍ନଉଠିଛି । ଅଭିଯୋଗ ପରେ ଥାନା ଅଧକାରୀ ଓ ଅବକାରୀ ବିଭାଗ କି ପ୍ରକାର ପଦକ୍ଷେପ ଗ୍ରହଣ କରିବ କିମ୍ବା ବାର ମାଲିକକୁ ସୁହାଇଲା ଭଳି ତଦନ୍ତ ରିପୋର୍ଟ ଦେବ ତାହା ସମୟ କହିବ ।