ପ୍ରକାଶଙ୍କୁ ବିଜେପିରେ ସାମିଲ ନ କରିବାକୁ ଦାବି
ସାଲେପୁର: ବିଜେପିରେ ପ୍ରକାଶ ବେହେରାଙ୍କୁ ନେଇ ଏବେ ହଟଚମଟ ଚାଲିଛି । ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ବିଜେପିରେ ସାମିଲ ନକରିବାକୁ ସାଲେପୁର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ସମସ୍ତ ମଣ୍ଡଳ ସଭାପତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରି ଲିଖିତ ଭାବରେ ଦାବି କରିଛନ୍ତି । ପ୍ରକାଶ ଥାଉ କି, ପ୍ରକାଶ ଚନ୍ଦ୍ର ବେହେରା ସାଲେପୁରର ପୂର୍ବତନ ବିଧାୟକ ଥିଲେ । ପରେ ସେ କଂଗ୍ରେସ ଛାଡି ବିଜେପିରେ ୨୦୧୯ରେ ମିଶିଥିଲେ । ଏହାପରେ ଗତ ନିର୍ବାଚନର କିଛିଦିନ ପୂର୍ବରୁ ବିଜେପି ସଭାପତି ପଦ ସହ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇ କଟକ-ବାରବାଟୀ ଆସନରୁ ବିଜେଡି ଟିକେଟ୍ରେ ଲଢ଼ିଥିଲେ । ସେଠାରୁ ନିର୍ବାଚନରେ ହାରିବାପରେ ଏବେ ବିଜେପିରେ ମିଶିବାପାଇଁ ତତ୍ପରତା ପ୍ରକାଶ କରୁଥିବାବେଳେ, ବିଜେପି ଅଦ୍ୟାବଧି ତାଙ୍କୁ ଗ୍ରହଣ କରିନାହିଁ । ଅପର ପକ୍ଷରେ ପ୍ରକାଶ ବେହେରା ଗତ ୫ ତାରିଖ ଦିନ ସାଲେପୁର ବ୍ଲକ୍ର ଶିଶୁଆ ଡାକବଙ୍ଗଳାରେ ବିଜେପିର କଟକ ଜିଲ୍ଲା ଗ୍ରାମାଞ୍ଚଳ ସଭାପତି ରାମନାରାୟଣ ମହାନ୍ତି ଏବଂ ବିଜେପିର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଛବିନ୍ଦ୍ର ମଲ୍ଲିକ ଏବଂ ବଡମ୍ବା ବିଧାୟକ ବିଜୟ ଦଳବେହେରାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିବା ଏବଂ ପ୍ରକାଶ ବେହେରାଙ୍କୁ ଧରି ତାଙ୍କ ସମର୍ଥକଙ୍କ ସହ ତାଙ୍କର ଗୁଜରପୁରସ୍ଥିତ ବାସଭବନରେ ପହଞ୍ଚôବା ଘଟଣାକୁ ନେଇ ସାଲେପୁର ବିଜେପିର କର୍ମକର୍ତ୍ତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହି ଘଟଣାରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ନିର୍ବାଚନ ମଣ୍ଡଳୀ ବିଜେପି ମଣ୍ଡଳ ସଭାପତି ସମୀର ମହାନ୍ତି, ହୃଷିକେଶ ସାମଲ, ଲକ୍ଷ୍ମଣ ସାହୁ, ସଂଗୀତା ଜେନା, ହେମନ୍ତ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ଆଡ୍ଭୋକେଟ୍ ବିକ୍ରମ କେଶରୀ ବଳ, ପ୍ରଭାତ କିଶୋର ସ୍ୱାଇଁ ପ୍ରମୁଖ ଏକାଠି ହୋଇ ଦଳ ତ୍ୟାଗ କରିଥିବା ପ୍ରକାଶ ବେହେରା ଓ ତାଙ୍କର ବିଜେଡିରେ ଥିବା କିଛି ସମର୍ଥକ ବିଜେପି ଦଳର ସଦସ୍ୟତା ଅଭିଯାନକୁ ବାଧାପ୍ରାପ୍ତ କରିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଅପର ପକ୍ଷରେ ଦଳର ଜିଲା ସଭାପତି ସହ ୨ଜଣ ଅନ୍ୟ ସଭାପତି, ୩ଜଣ ବିଧାୟକଙ୍କ ସହ ପ୍ରକାଶ ବେହେରାଙ୍କ ସାଲେପୁର ଗସ୍ତ ଓ ଶିଶୁଆ ଡାକବଙ୍ଗଳାରେ ରହଣୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତିଙ୍କୁ ନଜଣାଇ ଦଳର କର୍ମକର୍ତ୍ତାମାନଙ୍କ ଅଗୋଚରରେ ଦଳୀୟ ନେତାମାନେ ପ୍ରକାଶ ବେହେରାଙ୍କ ସହ ରହିବା ଓ ଗୋପନ ମନ୍ତ୍ରଣା କରିବା ଯୋଗୁ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ହଜାର ହଜାର କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ନିର୍ବାଚନରେ ନୂଆକରି ବିଜେପିରେ ସାମିଲ ହୋଇଥିବା ଓ ଏଠାରୁ ପ୍ରାର୍ଥୀହୋଇଥିବା ଅରିନ୍ଦମ ରାୟ ଦଳ ପାଇଁ ପ୍ରଚାର କରି ୮୦ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇବା ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇଥିବାବେଳେ ଏବେ ବିଭିନ୍ନ ଦଳ ତ୍ୟାଗ କରିଥିବା ପ୍ରକାଶ ବେହେରାଙ୍କ ସହ ଜିଲ୍ଲା ସଭାପତି ଏବଂ ଅନ୍ୟାନ୍ୟ ବିଧାୟକ ମିଶିବା ଘଟଣା ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ତୁରନ୍ତ ଏହି ଘଟଣାରେ ବିଜେପି ସଭାପତି ହସ୍ତକ୍ଷେପ କରିବା ସହ ଏହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି । ପ୍ରକାଶ ବେହେରା ବିଜେପିରେ ମିଶିଲେ ବିଜେପି କର୍ମୀ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ରୋକ୍ଠୋକ୍ ଭାବେ ଜଣାଇଛନ୍ତି ।