ପ୍ରତି ୩ମାସରେ ଛତିଶା ନିଯୋଗ ସହ ଆଲୋଚନା କରିବେ ଆଇନମନ୍ତ୍ରୀ

 ପୁରୀ : ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ସେବାୟତମାନଙ୍କ ସହିତ ସର୍କିଟ ହାଉସ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୃଙ୍ଖଳିତ ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ନେଇ ବ୍ୟାପକ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ସେବାୟତ, ଜିଲ୍ଳା ପ୍ରଶାସନ, ପୁଲିସ ପ୍ରଶାସନ ସର୍ବୋପରି ରାଜ୍ୟ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କିଭଳି ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଓ ସୁଚାରୁରୂପେ ସଂପନ୍ନ ହେବ ସେ ସଂକ୍ରାନ୍ତରେ ଦୀର୍ଘ ସମୟ ଧରି ଆାଲୋଚନା କରାଯାଇଥିଲା । ବିଶେଷ କରି ରଥଯାତ୍ରା ଦିନ ରଥ ଉପରୁ କେତେକ ସେବାୟତଙ୍କୁ କାଢି ଦିଆଯିବା ଓ ବାରମ୍ବାର ଅନଧିକୃତ ଶଦ୍ଦ ବ୍ୟବହାର କରାଯିବା ଘଟଣାକୁ ନେଇ ଆଇନମନ୍ତ୍ରୀ ହରିଚନ୍ଦନ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଯେଭଳି ଏହାର ପୁନରାବୃତ୍ତି ନଘଟେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ପ୍ରତି ୩ମାସ ବ୍ୟବଧାନରେ ଆଇନମନ୍ତ୍ରୀ ଛତିଶାନିଯୋଗର ସେବାୟତମାନଙ୍କ ସହ ନିଜେ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ସେହିଭଳି ସେବାୟତ ପରିବାରର ପିଲାମାନଙ୍କ ପାଇଁ ଆଦର୍ଶ ଗୁରୁକୂଳ, ସେବାୟତ ଆବାସ ଯୋଜନା ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୁରୀର ସାଂସଦ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରର ବିଭିନ୍ନ ସେବା ସହ ସଂପୃକ୍ତ ସେବାୟତମାନେ ମଧ୍ୟ ବୈଠକରେ ଭାଗ ନେଇଥିଲେ । ଶ୍ରୀମନ୍ଦିର ପରିଚାଳନା କମିଟି ୯ମାସ ଧରି ଗଠନ ହୋଇପାରିନଥିବାରୁ ସେବାୟତମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ବୈଠକରେ ପ୍ରତିଫଳିତ ହୋଇଥିଲା । ରଥଯାତ୍ରା ପରେ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବ ବୋଲି  ବୈଠକରୁ ସୂଚନା ମିଳିଛି ।