ପ୍ରବଳ ବର୍ଷାରେ ବେହାଲ କଟକ ସହର

 କଟକ  : ମୌସୁମୀ ଜନିତ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀର ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ସହରର ବିଭିନ୍ନ ସାହିବସ୍ତି ତଥା ତଳିଆ ଅଂଚଳରେ ପାଣି ଜମିବା ସହ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିଲା । ଫଳରେ ଲୋକେ ଘରୁ ବାହାରିବା ମୁସକିଲ ହୋଇପଡ଼ିଥିଲା  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଅଂଚଳରେ ପାଣି ଜମି ରହିଥିଲା  । ସହରର ରାଉସାପାଟଣା, ସେମିନାରୀ ଛକ, ଝୋଲାସାହି, ବାଦାମବାଡ଼ି, ପ୍ରକ୍ସିଲେନ, ତୁଳସୀପୁର, କାଫଲାବଜାର, ପଟାପୋଲ, ସୂତାହାଟ, ମଙ୍ଗଳାବାଗ, ମହାନଦୀବିହାର, ପିଠାପୁର ଓ ଫ୍ରେଣ୍ଡସକଲୋନୀ ଆଦି ଅଞ୍ଚଳରେ ପାଣି ଜମି ରହିଥିଲା । ଫଳରେ ଜନ ଜୀବନ ପ୍ରଭାବିତ ହୋଇଥିଲା । ଏହାଛଡ଼ା ବିଭିନ୍ନ ସ୍ଥାନରେ ବିଦୁ୍ୟତ ସେବା ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରବଳ ବର୍ଷା ଯୋଗୁ ସ୍ଥାନୀୟ ଅରୁଣୋଦୟ ମାର୍କେଟ ସ୍ଥିତ ସିଡ଼ିଏ କାର୍ଯ୍ୟାଳୟ ପରିସରରେ ଥିବା ଏକ ବିଲ୍ଡିଂର ସିଡ଼ିଘର ଭୁଷୁଡ଼ି ପଡ଼ିଥିଲା । ସୌଭାଗ୍ୟବଶତଃ ସେହି ବାଟ ଦେଇ ଯାଉଥିବା କିଛି ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତିି । ହେଲେ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ଜଣାପଡ଼ିଛି । ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ୩ଟି ମୋଟର ପମ୍ପ ମୃତୟନ କରାଯାଇଥିବା ସୂଚନା ମିଳିଛି ।