ପ୍ରଥମ ବାଚସ୍ପତି ନନ୍ଦକିଶୋରଙ୍କ ଜୟନ୍ତୀ ପାଳିତ
ସୋର : ସ୍ୱାଧୀନତା ପର ପ୍ରଥମ ବାଚସ୍ପତି ନନ୍ଦକିଶୋର ଦାସଙ୍କ ଜୟନ୍ତୀ ଅବସରରେ ନନ୍ଦକିଶୋର ଦାସ ମେମୋରିଆଲ ଫାଉଣ୍ଡେସନ ଆନୁକୂଲ୍ୟରେ "କୃତଜ୍ଞତାର ମହାପର୍ବ:ନନ୍ଦିତ ନନ୍ଦକିଶୋର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ଅଧିବେଶନରେ ବରେଣ୍ୟ ଅତିଥି ଜାତୀୟସ୍ତରର ସାମ୍ବାଦିକ ପ୍ରଦୀପ ବୈଶାଖଙ୍କ ଚର୍ଚ୍ଚିତ ପୁସ୍ତକ "ଫେସେସ୍ ଅଫ୍ ଇନ୍ଇକ୍ୱାଲିଟିଜ୍’ ସମ୍ବନ୍ଧରେ ଆଲୋଚନା କରିଥିଲେ ପ୍ରାକ୍ତନ ପ୍ରାଧ୍ୟାପକ ଶରତ ଚନ୍ଦ୍ର ମହାନ୍ତି । ଦ୍ୱିତୀୟ ଅଧିବେଶନରେ ଫାଉଣ୍ଡେସନର ସଭାପତି ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ ସଭାରେ ଓଡିଶାର ସ୍ତମ୍ବକାର ପ୍ରହଲ୍ଲାଦ ସିଂହ ନନ୍ଦକିଶୋରଙ୍କ ବ୍ୟକ୍ତିତ୍ୱର ଉଚ୍ଚ ପ୍ରଶଂସା କରିବା ସହ କହିଥିଲେ କି ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାନ ଆମ ସମାଜ ପାଇଁ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ବରେଣ୍ୟ ଅତିଥି ସାମ୍ବାଦିକ ପ୍ରଦୀପ ବୈଶାଖ ଯୋଗ ଦେଇଥିଲେ । ଏହି କାର୍ଯକ୍ରମରେ ନନ୍ଦକିଶୋର ଦାସଙ୍କ ପରିବାର ସଦସ୍ୟ ଭାବେ ପରମାନନ୍ଦ ଦାସ ଉପସ୍ଥିତ ରହି ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ପୁଷ୍ପାରାଣୀ ନାୟକ ନନ୍ଦକିଶୋର ଗାଥା ଗାନ କରିଥିଲେ । ନନ୍ଦକିଶୋର ସ୍ମାରକୀ ଅନ୍ତଃବିଦ୍ୟାଳୟ କ୍ୟାରମ୍ ପ୍ରତିଯୋଗିତାର ଚମ୍ପିୟାନ ଭାବେ ରାଧାନାଥ ବିଦ୍ୟାପୀଠ, ସୋର ଓ ରନର୍ସ ଅପ୍ ଭାବେ ହେମପ୍ରଭା ହାଇସ୍କୁଲ, ସୋରକୁ ପୁରସ୍କୃତ କରାଯାଇଥିଲା । ନନ୍ଦକିଶୋର ଦାସଙ୍କ ପ୍ରତିଛବି ଅଙ୍କନ ପ୍ରତିଯୋଗିତାରେ ପୀୟୁଷ ପରିଡା ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ରେଫେରି ସୌମ୍ୟଶାନ୍ତ ପଟ୍ଟନାୟକ, ରତିକାନ୍ତ ମହାନ୍ତି ଓ ଶୁଭେନ୍ଦୁ କୁମାର ସାହୁଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା । ସଭାରେ ନନ୍ଦକିଶୋର ଦାସଙ୍କ ପୁତ୍ର ନୟନାନନ୍ଦ ଦାସ ଓ ଜୀବନାନନ୍ଦ ଦାସଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଚିତ୍ତରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ସ୍ୱାଗତ ଭାଷଣ ରଘୁନାଥ ଦାଶ ଓ ଚନ୍ଦ୍ରଶେଖର ମଙ୍ଗଲ ଧନ୍ୟବାଦ ପ୍ରଦାନ କରିଥିଲେ ।