ନୟନୀ କୋଲ କମ୍ପାନୀ ଲିମିଟେଡର ଦାଦାଗିରି ବନ୍ଦ ହେବ କେବେ?
ଛେଣ୍ଡିପଦା : ଅନଗୁଳ ଜିଲ୍ଲା ଛେଣ୍ଡିପଦାରେ ଥିବା ନୟନୀ କୋଲ କମ୍ପାନୀ ଲିମିଟେଡର ଦାଦାଗିରି ନେଇ ନୟନୀ କୋଲ ବ୍ଲକରେ ଜମି ହରାଇ ସର୍ବସ୍ୱାନ୍ତ ହୋଇଥିବା କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ରିପୋର୍ଟ ନେବାରେ ଜଣାଯାଇଛି ଯେ, ନୟନୀ କୋଲ ବ୍ଲକ ବିଭିନ୍ନ ପ୍ରକାର ମିଥ୍ୟା, ମନଗଢା, କପୋଳକଳ୍ପିତ ପ୍ରତିଶ୍ରୁତି ଦେଇ ଲୋକଙ୍କ ଜମି, ଘର, ଘରଡିହ ସହିତ ବାପ ଅଜା ସାତ ପୁରୁଷ ଧରି ରଖିଥିବା ଜଙ୍ଗଲକୁ ସଫା କରିସାରିଲା ପରେ ଆଉ କ୍ଷତିଗ୍ରସ୍ତଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ତ କରିବା ଦୂରର କଥା କୁଆଡେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେଖା କରିବା ପାଇଁ ମଧ୍ୟ ଦେଉ ନ ଥିବା କରଡା ବାହାଳୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ରକ୍ଷିତ ଥିବା ଆଉ କିଛି ଜଙ୍ଗଲକୁ କମ୍ପାନୀ କର୍ତ୍ତୃପକ୍ଷ ରାତି ଅଧିଆ ଗୁଣ୍ଡା ଆଣି କୁଆଡେ ବନ୍ଧୁକ ଓ ବିଭିନ୍ନ ପ୍ରକାର ମରଣାସ୍ତ୍ର ଧରି ଜୋର ଜବରଦସ୍ତ କାଟୁଥିବା ବେଳେ, ଅଭିଯୋଗ କଲେ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଜମି, ଘର, ଘର ଡିହ ହରାଇ ସର୍ବସ୍ୱାନ୍ତ ହୋଇଥିବା ଗ୍ରାମବାସୀଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ରଖୁଥିବା ଅଭିଯୋଗ ହୋଇଛି । ଏପରିକି ଗାଡି ଡ୍ରାଇଭର, ହେଲପର କି ସିକୁ୍ୟରିଟି ଗାର୍ଡ ରଖିବା ପାଇଁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ରାଜି ହେଉନି । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଉପରେ ଗୁଣ୍ଡା ରାଜ ଦେଖାଇ ଆତଙ୍କରାଜ ସୃଷ୍ଟି କରୁଥିବାରୁ ଏହା ଉପରେ କୋର୍ଟର ଆଶ୍ରୟ ନେବେ ବୋଲି ଗ୍ରାମବାସୀ କହିଚନ୍ତି । କିଛି ଗୁଣ୍ଡା ଗର୍ଦୀ କରୁନାହୁଁ ବୋଲି କହୁଥିବା ବେଳେ, ଧୀରେ ଧୀରେ ସମସ୍ତଙ୍କୁ ନିଯୁକ୍ତି ଦେଉଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।