ପ୍ରଦୂଷଣ ନେଲା ଆଉ ଦୁଇ ମୁଣ୍ଡ

 ଦାନଗଦୀ : ବାୟୁ ଜଳ ପ୍ରଦୂଷଣରେ ଯାଇଛି ଆଉ ଦୁଇଜଣଙ୍କ ଜୀବନ । ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତ ଅଧିନ ସୁଆଁଲ ମାନପୁର ବାସିନ୍ଦା ଦୀର୍ଘ ବର୍ଷ ହେଲା ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି । ସୁକିନ୍ଦା ରୋଡ଼ ରେଲୱେ ଷ୍ଟେସନ ସାଇଡିଂରେ ଲୋଡ଼ିଂ, ଅନ ଲୋଡ଼ିଂ ହେଉଥିବା କଞ୍ଚାମାଲ କୋଇଲା, ସିମେଂଟ କାରଖାନାର କ୍ଲିଙ୍କର ଗୁଣ୍ଡ କାରଣ ହୋଇଛି । ଦିନରାତି ୨୪ ଘଂଟା ରେଳ ପ୍ଲଟରେ ବୋଝେଇ, ଖଲାସ ହୋଇ ହାୱା ଗାଡ଼ିରେ କାରଖାନା ଭିତରେକୁ ପରିବହନ ହେଉଛି, ଯାହା ଫଳରେ ଗୁଣ୍ଡ କୋଇଲା, କ୍ଲିଙ୍କର, ଧୂଳି ମାତ୍ରାଧିକ ଉଡି ବାୟୁ ଜଳ ପ୍ରଦୂଷିତ ହେଉଛି । ଦୁଇ ଦିନ ମଧ୍ୟରେ ଗୁଳାସାହିର ୱାର୍ଡ ନମ୍ବର ୧୨ରେ ଦୁଇଜଣ ପ୍ଲଟ ଶ୍ରମିକଙ୍କ କୀଡୀନି ଓ ଲିଭର ଜନିତ ରୋଗରେ ମୃତୁ୍ୟ ହୋଇଛି । ସାହିର ରୁପା ନାୟକଙ୍କ ପୁଅ ଗୋପ (୩୮) ଗତ ଚାରି ମାସ ହେବ କୀଡୀନି ରୋଗରେ ପୀଡିତ ହୋଇ କଟକରେ ଦୁଇଦିନ ତଳେ ଆଖି ବୁଝିଛନ୍ତି । ସେ ଜଣେ ଦିନ ମଜୁରିଆ, ତାଙ୍କର ପୁଅ ଝିଅ ଦୁଇଜଣ ଅନାଥ ହୋଇପାଠ ଛାଡି ବୁଲୁଛନ୍ତି । ସେହିପରି ଏହି ସାହିର ବାଇଧର ନାୟକଙ୍କ ପୁଅ ବାନିଆ (୩୨) କିଡ଼ୀନି ରୋଗରେ ପଡି ଯାଜପୁର ଟାଉନରେ ଗତକାଲି ଆଖି ବୁଝିଛନ୍ତି । ଦୀର୍ଘ ବର୍ଷ ହେଲା ସୁକିନ୍ଦା ରୋଡ଼ ରେଳ ଷ୍ଟେସନର ବାୟୁ ପ୍ରଦୂଷଣ ଶହଶହ ମୁଣ୍ଡ ନେଲାଣି । ପ୍ରଶାସନ, ରାଜନେତା, ଶ୍ରମିକ ନେତା ଚୁପ ରହିଛନ୍ତି । ଆଉ କେତେ ମୁଣ୍ଡ ଗଲେ ପ୍ରଶାସନର ନିଦ ଭାଙ୍ଗିବ ବୋଲି ପରିବେଶବିତଙ୍କ ମନରେ ପ୍ରଶ୍ନ ଉଙ୍କିମାରିଛି । ଏହି ସାହିର କୁଶ ନାୟକ (୪୫)ବର୍ତମାନ କୀଡୀନି ରୋଗରେ ଶଯ୍ୟାଶାୟୀ, ରୀତା ମହାକୁଡ଼ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ଥିବାର ଜଣାପଡ଼ିଛି । ଏପରି ଏକ ସମ୍ବେଦନଶୀଳ ଘଟଣାରେ ଆଉ କେତେ ମୁଣ୍ଡ ଗଡ଼ିଲା ପରେ ପ୍ରଶାସନ ଓ ରେଳ ବିଭାଗ, ପ୍ରଦୂଷଣ ବୋର୍ଡ ଓ ଲୋକପ୍ରିୟ ନେତାଙ୍କ କୁମ୍ଭ ନିଦ ଭାଙ୍ଗୁଛି ତାହା ହିଁ ଦେଖିବାର ଅଛି ।