ବେପରୁଆ ଏକ୍ସଲେସର କଲେଜ କର୍ତ୍ତୃପକ୍ଷ: ମଦୁଆ ଡ୍ରାଇଭରଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଜୀବନ
ବ୍ୟାସନଗର : ଦୃତଗତିରେ ଗାଡି ଚଲାଇବା ମନା । ମଦ ପିଇ ଗାଡି ଚଲାଇଲେ ଜରିମାନା । ଗାଡି ମୋଟର ଚଳାଚଳ କ୍ଷେତ୍ରରେ ପରିବହନ ବିଭାଗ ପକ୍ଷରୁ ଯାବତିୟ କଟକଣା ରହିଛି । କଟକଣା ଅନୁପାଳନ ହେଉଛି କି ନାହିଁ, ତାହାର ଯାଞ୍ଚ ବେଳେ ବିଭାଗ ପକ୍ଷରୁ କରାଯାଉଛି । କିନ୍ତୁ ତାହା ରାଜପଥ ଏବଂ ବେସରକାର ଗାଡ଼ିରେ ସିମିତ ରହୁଛି । ଗଳିକନ୍ଦି ହେଉ କି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡ଼ି କ୍ଷେତ୍ରରେ ଦେଖିବାକୁ ମିଳୁନି । ଯେଉଁଥି ପାଇଁ ଶିକ୍ଷାନୁଷ୍ଠାନ ଗାଡ଼ି ଚଲାଉଥିବା ଡ଼୍ରାଇଭର ମଦପିଇ ଗାଡ଼ି ଚଲାଇବାକୁ ପଛାଉ ନାହାନ୍ତି । ଏକ୍ଷେତ୍ରରେ ଶିକ୍ଷାନୁଷ୍ଠାନ କର୍ତୁପକ୍ଷ ବେପରୁଆ ମନୋଭାବ ମଧ୍ୟ ପରିଲକ୍ଷିତ ହେଉଛି । ଏକାଧିକ ଉଦାହରଣ ବ୍ୟାସନଗର ହେଉ କି ଏହାର ଆଖପାଖ ଅଂଚଳରେ ଦେଖିବାକୁ ମିଳୁଛି । ବୁଧବାର ରାତିରେ ଦଳା-ଶଙ୍ଖଚିଲା ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣା ଅନ୍ୟତମ । ଛୋଟରାୟପୁର ନିକଟରେ ଥିବା ଏକ୍ସଲେସର ଆବାସିବ କଲେଜରୁ ୭୦ ଛାତ୍ରଙ୍କୁ ଧରି ବ୍ୟାସନଗର ପୌରାଞ୍ଚଳର ଦଳାରେ ଥିବା ହଷ୍ଟେଲକୁ ଆସୁଥିବା ବେଳେ ବସଟି ପ୍ରଥମେ ଏକ ଅଟୋକୁ ଧକ୍କା ଦେବା ପରେ ଗଛରେ ପିଟି ହୋଇଥିଲା । ବସରେ ଥିବା ଏକାଧି ଛାତ୍ର ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ । ମଦ୍ୟପାନ ହିଁ ଦୁର୍ଘଟଣାର କାରଣ ଥିଲା । ଏକଥାକୁ ଭଲଭାବେ ବୁଝିଥିବା କଲେଜ ଛାତ୍ର ସେମାନଙ୍କ ଜୀବନ ମଦୁଆ ଡ଼୍ରାଇଭର ହାତରେ ଥିବା ଜାଣି ଉତ୍ୟକ୍ତ ହୋଇପଡ଼ିଥିଲେ । ଦୁର୍ଘଟଣାରୁ ବର୍ତି ଯାଇଥିବା ଛାତ୍ର ଡ଼୍ରାଇଭରକୁ ଉତମଧ୍ୟମ ଦେବାକୁ ଚାହିଁଥିଲେ ବି ନିବୃତ ରହିଥିଲେ । ଦୁର୍ଘଟଣାରେ ଅଟୋ ଡ଼୍ରାଇଭର ଗୁରୁତର ହୋଇ ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ । ପୂର୍ବରୁ ଉକ୍ତ କଲେଜର ଏକ ବସ ଦୁର୍ଘଟଣା ଘଟାଇଥିଲା । ଯାହାକୁ ନେଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା ଆଉ ପୁଲିସ ଗାଡ଼ିକୁ ଥାନାକୁ ନେଇଯାଇଥିଲା । ପ୍ରଶ୍ନ ଉଠୁଛି, କଲେଜରୁ ଛାତ୍ରଛାତ୍ରୀଙ୍କୁ ଧରି ହଷ୍ଟେଲ ହେଉ କି ହଷ୍ଟେଲରୁ କଲେଜ ନେଇ ଯାଉଥିବା ବସ ଡ୍ରାଇଭର ମଦୁଆ ନାଁ ଭଲ ତାହାର ତର୍ଜମା କରାଯାଉନଥିବାରୁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାରେ ଲାଗିଛି । ଏକ୍ସଲେସର କଲେଜ କର୍ତୁପକ୍ଷ ଏକ୍ଷେତ୍ରରେ ବେପରୁଆ କାହିଁକି? ଲକ୍ଷଲକ୍ଷ ଟଙ୍କା ଦେଇ କଲେଜର ନାଁ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଆଣିବା ଏବଂ ଛାଡ଼ିବା ଦାୟୀତ୍ୱ କର୍ତ୍ତୁପକ୍ଷଙ୍କ ହୋଇଥିଲେ ହେଁ ଏକ୍ଷେତ୍ରକୁ କିନ୍ତୁ ଉପେକ୍ଷା କରିଚାଲିଛନ୍ତି । ଯାହା ଫଳରେ ଛୋଟବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି । ଅନ୍ୟପକ୍ଷରେ ରାଜରାସ୍ତାରେ ଗାଡ଼ି ମୋଟର ଯାଞ୍ଚ କରୁଥିବା ପରିବହନ ବିଭାଗ କଲେଜ ହେଉ କି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା ଚଲାଯାଉଥିବା ଗାଡ଼ି ସରକାରୀ ନିୟମ ଭିତରେ ଚାଲୁଛି ନାଁ ବେନିୟମରେ ତାର କୈାଣସି ଯାଞ୍ଚ କରାଯାଉନି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିବା ପରି ଲାଗିଛି । ଯଦି କୈାଣସି ସମୟରେ କିଛି ଅଘଟଣ ଘଟିଲା, ତେବେ ସେଥିପାଇଁ ଦାୟୀ କିଏ ରହିବ ପରିବହନ ବିଭାଗ ନାଁ କଲେଜ କର୍ତ୍ତୁପକ୍ଷ ।