ପ୍ରଭାବଶାଳୀଙ୍କ କବ୍ଜାରେ ସରକାରୀ ଜମି

 ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ବହୁ ସରକାରୀ, ଗୋଚର, ପାହାଡ଼ ଓ ଜଙ୍ଗଲ ଜମି ଏବେ କିଛି ପ୍ରଭାବଶାଳୀ ଲୋକଙ୍କ କବ୍ଜାରେ । ସେମାନେ ଏପରି କିସମର ସରକାରୀ ଜମିକୁ କିଛି ବର୍ଷ ନିଜ କବ୍ଜାରେ ରଖିବା ପରେ ତହସିଲର କିଛି ଅସାଧୁ ଅଧିକାରୀଙ୍କୁ ହାତ କରି ନିଜ ନାମରେ କରାଇନେଉଛନ୍ତି । ପରେ ଏହା ଚାରିପାଖରେ ପାଚେରୀ କରି କୋଟି କୋଟି ଟଙ୍କାରେ ବିକୁଛନ୍ତି ବା ଆଉକିଛି ଏହାକୁ ଫାର୍ମ ହାଉସ୍ କରୁଛନ୍ତି । ଏପରି ଜମି ଓ ଜାଗା ଗୁଡିକ ଉଚ୍ଛେଦ କରାଯାଇ ରାଜ୍ୟ ସରକାରଙ୍କ ଖାତାକୁ ଅଣାଯିବା ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଆପ୍ ପାଖରୁ ଅଭିଯୋଗ କରାଯାଇଛି ଯେ, ସହର ଉପକଣ୍ଠ ମୌଜା ଯତନ ନଗର ଖାତା ନଂ ୫୦/୩୭୪, ପ୍ଲଟ ନମ୍ବର ୨୭୪/୫୧୧ ରେ ଏ ୧୧. ୬୦ ଓ ୨୭୬/୫୧୨ରେ ଏ ୭.୪୦, ମୋଟ ୧୯ ଏକର, କିସମ ପର୍ବତ ତିନି, କୃଷ୍ଣ ଚନ୍ଦ୍ର ପାତ୍ର, ପିତା ମଧୁସୂଦନ ପାତ୍ର, ଜା- ପାଟରା, ବାସ-ସିମିଳିଆ, ୨୦୧୭ ମସିହାରେ ଦା.ଖ କେସ ନଂ ୩୪୪୨/୧୭ ଦ୍ୱାରା ନିଜ ନାମରେ ରେକର୍ଡ ଭୁକ୍ତ କରିଛନ୍ତି  । ଏହି ଜମିର ବଜାର ଦର ପ୍ରାୟ ୨୦,୦୦,୦୦,୦୦୦ ଟଙ୍କା (କୋଡିଏ କୋଟି ଟଙ୍କା)ରୁ ଊର୍ଦ୍ଧ୍ୱ ହେବ । ଏହା ଅନଲାଇନ ପୋର୍ଟାଲ "ଭୁଲେଖ’ରେ ଦର୍ଶାଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜିଲ୍ଲାରେ ଅନେକ ଭୂମିହୀନ ଲୋକ ଭଡା ଘରେ ରହୁଥିବା ବେଳେ ଢେଙ୍କାନାଳ ସହରରେ ସରକାରୀ ଅନୁଷ୍ଠାନ, ଯାନବାହାନ ପାର୍କିଂ, ସାଧାରଣ ଲୋକ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ପାର୍କଟିଏ କରିବା ପାଇଁ ସରକାରୀ ଜମି ନାହିଁ । କିନ୍ତୁ ଜଣେ ଜଣେ ବ୍ୟକ୍ତି ଏତେ ପରିମାଣର ପାହାଡ ପର୍ବତ, ଗୋଚର ଜମି ନିଜ ନାମରେ ରେକର୍ଡ କରିବା ଦୁର୍ଭାଗ୍ୟଜନକ । ତା’ଛଡା ବିଭିନ୍ନ ବେସରକାରୀ ଉଦ୍ୟୋଗ, ରାସ୍ତାଘାଟ ପାଇଁ ମଧ୍ୟ ଏପରି ଜମି ଗୁଡିକ ଜବର ଦିଆଯାଉଛି । ଗରିବ ଭୂମିହୀନ ଲୋକଟିଏ ଜାଗା ଅଧଗୁଣ୍ଠ ପାଉନଥିବା ବେଳେ ଜଣେ ବ୍ୟକ୍ତି ବା ଉଦ୍ୟୋଗପତିମାନଙ୍କୁ ଏପରି ଏକର ଏକର ଜମି ଅକ୍ତିଆର କରିବା ଅନୁଚିତ ବୋଲି କହିବା ସହ ବିଭିନ ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛି । ଦାବିଗୁଡିକ ମଧ୍ୟରେ ପର୍ବତ ପାହାଡ କିସମ ଜମିକୁ ନିଜ ନାମରେ ରେକର୍ଡ କରିବା କିପରି ସମ୍ଭବ ହେଲା, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । ଜିଲ୍ଲାର ଅନେକ ଗୁଡିଏ ଜଳାଶୟକୁ ପୋତାଯାଇ କିସମ ପରିବର୍ତ୍ତର୍ନ କରାଯାଇ ବିକ୍ରି କରାଯାଉଛି  । ଏହା ବନ୍ଦ କରାଯାଉ । ଗତ ୧୦ ବର୍ଷ ଭିତରେ ଉପରୋକ୍ତ କିସମ ପାହାଡ ପର୍ବତ ଓ ଗୋଚର ଜମି ଗୁଡିକୁ ଯେଉଁ ବ୍ୟକ୍ତିମାନେ ନିଜ ନାମରେ ରେକର୍ଡ ଭୁକ୍ତ କରିଛନ୍ତି, ତାହା ଦାଖଲ ଖାରଜ କରାଯାଇ ଓଡିଶା ସରକାରଙ୍କ ନାମରେ କରାଯାଉ ଓ ଢେଙ୍କାନାଳ ସହର ଭିତରେ ଅନେକ ବ୍ୟକ୍ତି ଜାଗାବାଡି ବେପାର କରି ପୂର୍ବରୁ ଥିବା ନାଳ ଗୁଡିକୁ ଜବର ଦଖଲ କରୁଛନ୍ତି କିମ୍ବା ବିକ୍ରି କରୁଛନ୍ତି ସେଠାରେ ଦୋକାନ ଘର କରି ଭଡା ସୂତ୍ରରେ ଲଗାଉଛନ୍ତି  ତାହା ତଦନ୍ତ କରାଯାଇ ଉଚ୍ଛେଦ କରାଯାଉ ଆଦି ଉଲ୍ଲେଖ ରହିଛି । ଯଦି ଏହା କରାନଯାଏ ଆମ୍ ଆଦମୀ ପାର୍ଟି ଆଗାମୀ ଦିନରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା, ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଚ୍ଛାୟତ, ସଦର ବ୍ଲକ ସଭାପତି  ରାଜକୁମାର ପ୍ରଧାନ, ପ୍ରସନ୍ନ ବରାଳ, ଓଡାପଡ଼ା ବ୍ଲକର ପିତାମ୍ବର ଦାସ, ଅନିଲ ନାଥ, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।