ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ ଦାବି

 ନରସିଂହପୁର  : ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଓଲବ ପଞ୍ଚାୟତ କଂସେଇଲୋ ଗ୍ରାମର ୫୩ ଭୂମିହୀନ ପରିବାରକୁ ସ୍ଥାୟୀ ଜମିପଟ୍ଟା ସହ ଥଇଥାନ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ସୂଚନା ଅନୁସାରେ, ଓଲବ ପଞ୍ଚାୟତ କଂସେଇଲୋ ଗ୍ରାମର ୫୩ଟି ପରିବାର ପୂର୍ବ ପୁରୁଷରୁ ଜଙ୍ଗଲରେ ବସତି ସ୍ଥାପନ କରି ଆସୁଛନ୍ତି । ଏହି ୫୩ଟି ପରିବାରରୁ ୨୫ ପରିବାରର ଭୂମିହୀନ ଥିବାବେଳେ ୧୨ପରିବାରର ଚାଷ ଜମି ନାହିଁ । ଗ୍ରାମର ଅଧିକାଂଶ ପରିବାର ବର୍ଷ ବର୍ଷ ଧରି ସରକାରୀ ଜମିରେ ବସତି ସ୍ଥାପନ କରିବା ସହ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ହାଡୁଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ନରସିଂହପୁର ଓଲବ ପଞ୍ଚାୟତର ବୋରସ ଓ ମହୁଲପଡ଼ା ଦୁଇ ଗ୍ରାମର ୫୨ ଟି ପରିବାର ବିସ୍ଥାପିତ ହୋଇ କଂସେଇଲୋ ଗ୍ରାମ ନିକଟରେ ରହିବା ପାଇଁ  ପ୍ରଶାସନ ପକ୍ଷରୁ ଘରଡିହ, ଚାଷ ଜମି ଯୋଗାଇ ଦିଆଯାଉଛି । ଘରଡିହ ପାଇଁ ପ୍ରତି ପରିବାରକୁ ଅଢେଇ ଗୁଣ୍ଠ ଏବଂ ଚାଷଜମି ବାବଦକୁ ଗୋଟିଏ ପରିବାରକୁ ୩ ଏକର ଜମି ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ୬୫ ଏକର ଜମି କଂସେଇଲୋ ଗ୍ରାମର ଲୋକଙ୍କ ହେପାଜତରେ ଥିବା ସରକାରୀ ଜମିକୁ ବିସ୍ଥାପିତଙ୍କୁ ଯୋଗାଇ ଦେବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ ଗ୍ରାମବାସୀମାନେ ଏହାକୁ ପ୍ରତିବାଦ କରିଥିଲେ । କଂସେଇଲୋ ଗ୍ରାମବାସୀମାନେ ପୁରୁଷାନୁକ୍ରମିକ ଭାବେ ବ୍ୟବହାର କରୁଥିବା କଂସେଇଲୋ ଗ୍ରାମର ଏହି ସରକାରୀ ଜମିକୁ ନ ଦେଇ ପଞ୍ଚାୟତର ଅନ୍ୟ ସ୍ଥାନରେ ଦେବା ସହ ଗ୍ରାମର ୫୩ ପରିବାରକୁ କିସମ ପରିବର୍ତ୍ତନ କରି ଭୂମିହୀନ ପରିବାରକୁ ଘରବାରୀ, ଚାଷଜମି ଯୋଗାଇ ଦେବା ପାଇଁ ଦାବି କରି ଗ୍ରାମ ସଭାପତି ଗଦାଧର ପ୍ରଧାନ, ପୂର୍ବତନ ସରପଞ୍ଚ ରନôାକର ବେହେରାଙ୍କ ସହ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।