ପ୍ରଶାସକ ଦୃଷ୍ଟି ଆଢୁଆଳରେ ଭାରତ ମାତା ପ୍ରତିମୂର୍ତ୍ତି
ବିଞ୍ଝାରପୁର : ବିଂଝାରପୁର ଓ ବରୀ ବ୍ଲକର ସୀମାବର୍ତି ଶ୍ୟାମେଶ୍ୱର ପୀଠଠାରେ ଅବସ୍ଥିତ ଭାରତମାତା ପ୍ରତିମୂର୍ତି ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୩ ବର୍ଷ ତଳେ ନିର୍ମାଣ କରାଯାଇଥିଲା । ଯାହା ଏବେ ଅସୁରକ୍ଷିତ ଅବସ୍ଥାରେ ପଡିରହିଛି । ସେଠାରେ ଇଂରେଜ ଶାସନକାଳରୁ ଥିବା କୋଠୀଢିହର ସ୍ମୃତିକୁ ବିଲୋପ କରାଯାଇ ଜାତୀୟତା ଭାବ ସୃଷ୍ଟି ନିମନ୍ତେ ଏହି ଭାରତମାତାର ପ୍ରତିମୂର୍ତି ନିର୍ମାଣ କରାଯାଇଥିଲା । ଦକ୍ଷିଣ ଯାଜପୁର ଅଂଚଳରୁ ଜଳକର ଆଦାୟ ନିମନ୍ତେ ଇଂରେଜ ସରକାର ଏଠାରେ ଏକ ଘୋଡା ଶାଳ ଓ ଏକ କର ଆଦାୟ କାର୍ଯ୍ୟାଳୟ କରିଥିଲେ । ଏଠାରେ ଗୋରା ସାହେବ ରହିବା ସହିତ ଜଳକର ଆଦାୟ ନାମରେ ଲୋକଙ୍କୁ ବହୁ ଉତ୍ପୀଡନ ଦେଉଥିଲେ । ସେଭଳି ଏକ କଳା ଇତିହାସକୁ ଏଠାରୁ ଲୋପ କରାଯାଇ ଏଅଂଚଳର ସଚେତନ ନାଗରୀକ ସ୍ୱାଧିନତାର ୭୪ବର୍ଷ ପରେ ଏଠାରେ ଏକ ଭାରତମାତା ପ୍ରତିମୂର୍ତି ସ୍ଥାପନକରି ସାଧାରଣତନ୍ତ୍ର ଦିବସରେ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଏବେ ପ୍ରତିବର୍ଷ ଏଠାରେ ପତାକା ଉତୋଳନ ହୋଇଆସୁଛି । କିନ୍ତୁ ପ୍ରତିମୂର୍ତିଟି ଖୋଲା ପଡିଥିବାରୁ ଉପରେ ଏକ ଛାତ ନିର୍ମାଣ ପାଇଁ ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟିକା, ଜିଲା ସଂସ୍କୃତି ବିଭାଗ ଓ ସାସଂଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଛି । ନବନିର୍ବାଚିତ ସାଂସଦ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ୟାମେଶ୍ୱର ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଦାବୀ କରାଯାଇଛି । ଏହା ବ୍ୟତୀତ ବହୁ ପୁରାକାଲରୁ ଅବସ୍ଥିତ ଏବଂ ମାଳିକା ବର୍ଣ୍ଣିତ ଶ୍ୟାମେଶ୍ୱର ପୀଠର ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ ଏଯାବତ କୈ÷ାଣସି ପଦକ୍ଷେପ ନିଆ ଯାଇ ନଥିଲେ ହେଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିବିଧ ଉନ୍ନୟନ କାର୍ଯ୍ୟ କରାଯାଇ ସାରିଲାଣି । ଦୀର୍ଘ ୫ବର୍ଷ ଶାସନ କାଳରେ ଏଠାରେ ଏକ ମଣ୍ଡପ ନିର୍ମାଣ ନିମନ୍ତେ ବରୀ ବିଧାୟିକା ଦେଇଥିବା ୧୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଖର୍ଚ୍ଚ ନହୋଇ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ନିମନ୍ତେ ଅଖିଳଚକ୍ର ଓ ଶ୍ୟାମେଶ୍ୱର ଆଂଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଦାବୀ କରାଯାଇଛି ।