ଚେଇଁ ଶୋଇଛି ପୂର୍ତ୍ତ ବିଭାଗ : ସରୁନି ଖରସ୍ରୋତା ନଦୀବନ୍ଧ ରାସ୍ତା

 କୁଆଖିଆ: ସରକାର ବଦଳିବା ପରେ ଯୋଜନା ଗୁଡିକ କେଉଁଠି ଅଧପନ୍ତରିଆ ହେଇ ପଡିଛି ତ କେଉଁଠି ବୁଝାମଣାରେ ଟଣାଓଟରା ସରୁନି । ଯାହାଫଳରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ରାସ୍ତା ଓ ଗୃହ ନିର୍ମାଣ ବିଭାଜନ, ପାଣିକୋଇଲି ଅଧିନରେ ଯାଉଥିବା ଖରସ୍ରୋତା ନଦୀବନ୍ଧର ଶ୍ରୀବନ୍ତପୁର ଠାରୁ ୧୬ ନଂ-ଜାତୀୟ ରାଜପଥ ଭାୟା ଖଣ୍ଡିତର ସାନ ତ୍ରିଲୋଚନପୁର ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଶ୍ରୀବନ୍ତପୁର ଠାରୁ (୦/୦କି.ମି)ଠାରୁ ଖଣ୍ଡିତର ଭାୟା ସାନ ତ୍ରିଲୋଚନପୁର(୧୧/୮୪୦କିମି) ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ୧୮କୋଟି ୮୧ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ ପାଇଁ ନିର୍ମାଣକାରୀ ସଂସ୍ଥା ଆକେଏସ୍ଏସ୍ ପ୍ରାଇଭେଟ୍ ଲିମିଟେଡ଼ର ଚୁକ୍ତିନାମା ନଂ-୮୫୧ ପି.୧-୨୦୨୩-୨୪ ଅନୁଯାୟୀ ତା୧୯ା୨ା୨୦୨୪ରୁ କାର୍ଯ୍ୟ ଆରମ୍ଭ କରି ତା୧୯ା୪ା୨୦୨୫ରେ କାର୍ଯ୍ୟ ସମ୍ପାଦନ କରିବା କଥା । ହେଲେ ଏଯାବତ ମାତ୍ର ୫ କିମି ରାସ୍ତା କାର୍ଯ୍ୟ ସରି ନଥିବା ଜଣାପଡିଛି । ଠିକାଦାର ନଦୀବନ୍ଧର ଉଭୟ ପାର୍ଶ୍ୱକୁ ମେସିନରେ ଖୋଳି ସେଥିରେ ଡଷ୍ଟ ଭର୍ତ୍ତି କରୁଥିବା ବେଳେ ଅନେକ ସ୍ଥାନରେ ପୋତା ହୋଇ ନଥିବା ଖାଲ ଗୁଡିକ ପଥଚାରୀ ମାନଙ୍କ ପାଇଁ ବିପଦର କାରଣ ପାଲଟିଛି । ବନ୍ଧ ଉପରେ ପଡୁଥିବା ଡଷ୍ଟ ଓ ଚିପ୍ସି ଗୁଡିକ ମେଟାଲିକ୍ ନହେବା ଫଳରେ ସେସବୁ ଉଠିଯାଇ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ଏମିତି କି ନଦୀବନ୍ଧର ତୁଲସୀପୁର ଠାରୁ ଖଣ୍ଡିତର ପର୍ଯ୍ୟନ୍ତ ବନ୍ଧଟି ଶୋଚନୀୟ ହୋଇ ପଡିଥିବା ଏବଂ ବିଭାଗୀୟ ଯନ୍ତ୍ରୀ ଏହି କାର୍ଯ୍ୟକୁ ତଦାରଖ ନକରିବା ଫଳରେ ଠିକାଦାର ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଜନସାଧାରଣରେ ଆଲୋଚନା ହେଉଛି ।