ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜନଶୁଣାଣି
ପୁରୀ : ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ବ୍ରହ୍ମଗିରି ରାସ୍ତାର ସିପସରୁବାଲି ମଉଜାରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଗ୍ରିନ ଫିଲ୍ଡ ଏୟାରପୋର୍ଟ ପାଇଁ ଶୁକ୍ରବାର ଦିନ ଷଣ୍ଢପୁର ଗ୍ରାମରେ ପୁନର୍ବାସ ଓ ପୁନଃ ଥଇଥାନ ଧାରା ୧୬ ଅନୁଯାୟୀ ଜନଶୁଣାଣି କରାଯାଇଛି । କ୍ଷତିପୂରଣ ରାଶି ବୃଦ୍ଧି କରିବା ସହ ଗୋରୁଆଳ ପଞ୍ଚାୟତକୁ ଏକ ମଡେ଼ଲ ପଞ୍ଚାୟତ ଭାବେ ଗଢିତୋଳିବା ପାଇଁ ପ୍ରସ୍ତାବ ମିଳିଛି । ବିସ୍ଥାପିତଙ୍କ ସମସ୍ତ ଆପତ୍ତି ଅଭିଯୋଗ ରାଜ୍ୟ ସରକାରଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ପଠାଇବ । କେତେକ ବିସ୍ଥାପିତ ବିମାନ ବନ୍ଦର ପ୍ରକଳ୍ପକୁ ସ୍ୱାଗତ କରିଥିବାବେଳେ ଅନ୍ୟ କେତେକ ବିସ୍ଥାପିତ ବିମାନ ବନ୍ଦର ପ୍ରକଳ୍ପକୁ ବିରୋଧ ମଧ୍ୟ କରୁଛନ୍ତି । ବିସ୍ଥାପିତମାନଙ୍କର କେଉଁ କେଉଁ ଅଭିଯୋଗ ରହିଛି ସେମାନଙ୍କର ମତାମତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ବିସ୍ଥାପିତମାନେ ବଜାରଦର ଅନୁସାରେ ଜମିର ମୂଲ୍ୟ ପାଇଁ ଦାବି କରିଛନ୍ତି । କେତେକ ବିସ୍ଥାପିତ ବିମାନବନ୍ଦର ନିର୍ମାଣ ପାଇଁ ବ୍ୟାପକ ଭାବେ ଗଛକଟାକୁ ବିରୋଧ କରିଥିଲେ । ବିମାନ ବନ୍ଦର ପ୍ରକଳ୍ପ ପାଇଁ ହଜାର ହଜାର ଗଛ କଟାଗଲେ ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହ ଶ୍ରୀମନ୍ଦିରକୁ ଜାଳେଣୀ କାଠ ଅଭାବ ପଡ଼ିବ । ତେବେ ଗତ ୯ ତାରିଖରେ ଗିରଳ ଗ୍ରାମରେ ମଧ୍ୟ ଜନଶୁଣାଣି କରାଯାଇଥିଲା । ପୁରୀ-ବ୍ରହ୍ମଗିରି ବ୍ଲକ, ସିପସରୁବାଲି ଓ ଷଣ୍ଢପୁର ମୌଜାରେ ବିମାନବନ୍ଦର ପାଇଁ ଜମି ଚିହ୍ନଟ ହୋଇଛି । ୧୧୬୪.୭୫୪ ଏକର ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରୁ ୨୨୧.୮୯୧ଏକର ଘରୋଇ ଜମି ରହିଛି । ୯୪୨.୮୬୩ ଏକର ସରକାରୀ ଜମି । ଉଭୟ ସିପସରୁବାଲି ଏବଂ ଷଣ୍ଢପୁର ମୌଜାରୁ ୧୨୯ ପରିବାର ବିସ୍ଥାପିତ ହେବେ । ବିସ୍ଥାପିତମାନଙ୍କୁ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଜନଶୁଣାଣି ଶେଷ ହେବା ପରେ ବିସ୍ଥାପିତଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ପ୍ରସ୍ତାବଗୁଡ଼ିକ ଉପରେ ଭୂଅର୍ଜନ ଆଇନ ଅନୁଯାୟୀ ବିଚାର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶରଚ ମହାପାତ୍ର ପ୍ରକାଶ କରିଛନ୍ତି । ଜଙ୍ଗଲ ଜମିରେ ରହୁଥିବା ଲୋକଙ୍କ ସମସ୍ୟା, ସିଲିଂ ଜମିରେ ରହୁଥିବା ଳୋକମାନେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଲେ କିଭଳି କ୍ଷତିପୂରଣ ପାଇବେ, ଅଞ୍ଚଳର ଶିକ୍ଷିତ ବେକାର ଯୁବକଯୁବତୀ ଅଗ୍ରାଧିକାର ଭିତ୍ତିରେ କିଭଳି ଆତ୍ମନିଯୁକ୍ତି ପାଇବେ ସେ ସଂପର୍କରେ ଅଞ୍ଚଳବାସୀ ପ୍ରସ୍ତାବ ଦେଇଥିଲେ । ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବିମାନବନ୍ଦର ନିର୍ମାଣ ହେବାକୁ ଥିବା ସ୍ଥାନକୁ ଯାଇ ବିଭିନ୍ନ ଅନୁଧ୍ୟାନ କରିବା ସହ ପରିବେଶର ପ୍ରଭାବ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।