ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ତାଳଚେର : ତାଳଚେର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବିଜେଡ଼ି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତାଳଚେର ବ୍ଲକ ଡିପିଏମ ମାନସୀ ରାଉତ, ଜେଇ ମାନସ ପ୍ରଧାନ ଓ ଡମ୍ବରୁ ପ୍ରଧାନ ବିଜେଡ଼ି ପାଇଁ କାର୍ଯ୍ୟ କରୁଛନ୍ତି । ଅମ୍ବିକେ, ସିଆରପି , ଆଶା, ଅଙ୍ଗନୱାଡି ତଥା ସମସ୍ତ ବ୍ଲକ ଓ ପଂଚାୟତର କର୍ମଚାରୀଙ୍କୁ ବିଜେଡି ପାଇଁ କାର୍ଯ୍ୟ କରିବା ପାଇଁ ଏମାନେ ପ୍ରବର୍ତାଉଛନ୍ତି ବୋଲି ବିଜେପି ତଥ୍ୟ ସହ ତାଳଚେର ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏ ସମସ୍ତ ଅଧିକାରୀ ତାଳଚେର ବ୍ଲକରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ରହି ଆସିଛନ୍ତି । ଏମାନଙ୍କ ଘର ତାଳଚେର ବିଧାନସଭା ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ । ଏ ମାନଙ୍କର ଗତିବିଧି ଓ କଲ ରେକର୍ଡ ଯାଞ୍ଚ କଲେ ସମସ୍ତ ତଥ୍ୟ ଜଣା ପଡିବ ବୋଲି ବିଜେପି ଦାବି କରିଛି । ସେହିପରି ବିଜେଡି ତାଳଚେର ବ୍ଲକ ସଭାପତି ତଥା ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ ଦୁଇ ଦିନ ପୂର୍ବରୁ ଟେଣ୍ଟୁଲେଇ ପଂଚାୟତ ଅଫିସରେ ଅମ୍ବିକେ ସିଆରପିମାନଙ୍କୁ ନେଇ ବିଜେଡି ପାଇଁ ବୈଠକ କରୁଥିବାର ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି । ଆଦର୍ଶ ଆଚରଣବିଧି ଅନୁଯାୟୀ ଏମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ଅଂଚଳରୁ ଅନ୍ୟତ୍ର ବଦଳି କରିବା ସହ ବ୍ୟାଙ୍କ ସଭାପତି ପଦବୀରୁ ହଟାଇବା ପାଇଁ ବିଜେପି ଲିଗାଲ ସେଲର ବରିଷ୍ଟ ଆଇନଜୀବୀ ଉଚ୍ଛନ୍ନ ପଟ୍ଟନାୟକ, ଦୟାସଗାର ମିଶ୍ର, ସୋମନାଥ ରାଉତ, ଅର୍ଜୁନ ଭୁତିଆ, ନରେଶ ଚନ୍ଦ୍ର ଦାସ, ଜଗଡ଼ିଶ୍ୱର ସାହୁ, ଅଖିଳ ସାମଲ , ପ୍ରଭାତିନି ଆଚାର୍ଯ୍ୟ, ପର୍ଶୁରାମ ବାରିକ ପ୍ରମୁଖ ଦାବି କରିଛନ୍ତି । ବୁଧବାର ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତିରେ ତାଳଚେର ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ରୋଜାଳୀନ ବେହେରାଙ୍କୁ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଭେଟି ଲିଖିତ ଭାବେ ଦାବି ଜଣାଇଛନ୍ତି । ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ସମସ୍ତ ତଥ୍ୟ ପ୍ରମାଣ ତାଳଚେର ନିର୍ବାଚନ ଅଧିକାରୀଙ୍କୁ ବିଜେପି ପକ୍ଷରୁ ଦିଆଯାଇଛି । ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି ବିଜେପି । ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।