ବିଜେଡି: ବିଜେପି ନିଜ ଦୋଷ ଦେଖୁ ନାହିଁ

ଭୁବନେଶ୍ବର: ମେଘନାଦ ପାଚେରୀରୁ ପାଣି ଗଳିବା ଅତ୍ୟନ୍ତ ଉଦବେଗଜନକ। ହେଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ବକ୍ତବ୍ୟ ଆମକୁ ବ୍ୟଥିତ ଓ ବିସ୍ମିତ କରୁଛି ବୋଲି ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି। ବିସ୍ମିତ କାରଣ ସେ ନିଜ ଦୋଷ ଦେଖୁ ନାହାନ୍ତି। ସମାଧାନ ପାଇଁ ଦରଦ ବା ବ୍ୟଥା ତାଙ୍କ ପାଖରେ ନାହିଁ। ମେଘନାଦ ପାଚେରୀ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଅଂଶବିଶେଷ । ତା’ ଦାୟିତ୍ୱ ପ୍ରତ୍ନତତ୍ୱ ବିଭାଗର। ସେ କ’ଣ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି। ନୂଆ ସରକାର ଜୁନ ମାସରୁ ଦାୟିତ୍ୱ ନେଲାଣି। ଚାରି ମାସ ଗଲାଣି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ପୁରୀରେ ହେଲା। ବାର୍ତ୍ତା ଦେଲେ କି ଜଗନ୍ନାଥଙ୍କ ପାଇଁ ସମର୍ପିତ। ହେଲେ ଚାରି ମାସ ଭିତରେ ସରକାରଙ୍କ ନଜରକୁ ଆସିଲା ନାହିଁ, କାହିଁକି ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି।
ପ୍ରତ୍ନତତ୍ୱ ବିଭାଗ ଅବହେଳା କରିଛି କି ? ଏହାର ସମାଧାନ ପାଇଁ ରାଜ୍ୟ ସରକାର କଣ ନିର୍ଦ୍ଦେଶ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ପାଇଁ କେମିତି ପାଣି ଗଳିଲା। କାରଣ ଜଣା ନାହିଁ ହେଲେ ସିଦ୍ଧାନ୍ତରେ କେମିତି ପହଞ୍ଚିଲେ ? ତାଙ୍କ ବୈଷୟିକ ଜ୍ଞାନ କଣ ଅଛି ? ଖାଲି ପର୍ବତକୁ ଢେଲା ମାରିବା କଥା ବୋଲି ବିଜେଡ଼ି କହିଛି। ଏହାର ବିଚାର ରାଜ୍ୟବାସୀ କରିବେ। ପରିକ୍ରମା ପ୍ରକଳ୍ପ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଭକ୍ତଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନେବାରେ ସେ ସାହସ କରିଥିଲେ। ପରୋକ୍ଷରେ ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ବିଜେପି ଷଡଯନ୍ତ୍ର କରିଥିଲା। ତାଙ୍କ ଅଭିଯୋଗକୁ ସୁପ୍ରିମକୋର୍ଟ ଖାରଜ କରି କହିଲେ ଏହା ଅର୍ଥହୀନ ଅଭିଯୋଗ।ଏଏସଆଇ ଆପତ୍ତି କରି ନ ଥିଲା । ପ୍ରାୟୋଜିତ ଜନସ୍ୱାର୍ଥ ମାମଲା ଥିଲା । ଏପରି କଥା କୁହନ୍ତୁ ଯାହା ଯୁକ୍ତିଯୁକ୍ତ ତେବେ ଯାଇଁ ଲୋକେ ଶୁଣିବେ ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି।