ପ୍ରି-ସ୍କୁଲ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବ୍ଲକ ପ୍ରଶାସନ : ନିର୍ମାଣର ତିନିବର୍ଷ ପରେବି ଖୋଲୁନି ତାଲା
ରାଜନଗର: ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ବିଭାଗକୁ ଗୁରୁତ୍ୱ ଦେଉଛନ୍ତି । ମାତ୍ର ଅଙ୍ଗନବାଡି ଛାତ୍ରଛାତ୍ରୀମାନେ କିଭଳି ହିନସ୍ତା ହେଉଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଗର୍ଭବତୀ, ପ୍ରସୂତୀ, ଶିଶୁଙ୍କୁ ସେବା ଯୋଗାଇବା ପାଇଁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଖୋଲିଛନ୍ତି । ଏଥିରେ କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କେନ୍ଦ୍ରରେ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସହ ପ୍ରି-ସ୍କୁଲ ପିଲାଙ୍କୁ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଇଛି । ମାତ୍ର ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ପିଲାମାନେ ବାରଓଳି ଶୁଣ୍ଢିପିଣ୍ଡା ହେଉଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ରାଜନଗର ବ୍ଲକରେ ଦେଖିବାକୁ ମିଳିଛି । ସାନବଡଗୋପାଳପୁର ପଞ୍ଚାୟତ ଗୋସିଗାଁରେ ତିନିବର୍ଷରୁ ଅଧିକ ହେବ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହେଲାଣି । କେନ୍ଦ୍ର ଗୃହରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଚିତ୍ର ସରିଛି, ବ୍ୟବହାର ଉପଯୋଗୀ ହେବା ପରେ ଅଙ୍ଗନବାଡି କେନ୍ଦ୍ର ଚାଲିବା କଥା । ମାତ୍ର କେନ୍ଦ୍ର ନିର୍ମାଣ ଦାୟିତ୍ୱରେ ଥିବା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଜଣକ ପରେ ଜଣେ ବଦଳିବାରେ ଲାଗିଛନ୍ତି । ଘରର ଚାବି ହସ୍ତାନ୍ତର କରୁନାହାଁନ୍ତି । ଯାହାଫଳରେ ଅଙ୍ଗନୱାଡି କେନ୍ଦ୍ରରେ ଦିଆଯାଇଥିବା ରଙ୍ଗ ଲିଭି ଯାଉଥିବା ବେଳେ, ଘରର କାନ୍ଥ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଏହି ଅଙ୍ଗନବାଡି କେନ୍ଦ୍ରରେ ୧୭ଜଣ ପ୍ରି-ସ୍କୁଲ ଛାତ୍ରଛାତ୍ରୀ ପାଠ ପଢନ୍ତି । ଘର ନଥିବାରୁ ସେମାନେ କର୍ମୀଙ୍କ ଘରେ ପଢୁଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କୁ ପଚାରିବାରୁ ସେ ନୂଆ ଆସିଛନ୍ତି ଅଙ୍ଗନବାଡି କେନ୍ଦ୍ର ଫାଇଲ ଦିଆଯାଇନାହିଁ ବୁଝି କହିବି ବୋଲି କହିଛନ୍ତି । ସେହିପରି ମହିଁଷାସୁର ପଞ୍ଚାୟତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଚଣ୍ଡିଆପଲୀ ଗ୍ରାମରେ ତିନିବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । କର୍ମୀ ନିଜ ଘରେ ବହୁ ହିନସ୍ତାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ଏନେଇ ବାରମ୍ବାର ବ୍ଲକ୍ ପ୍ରଶାସନକୁ ଗ୍ରାମବାସୀ ଅବଗତ କରାଇଥିଲେ ମଧ୍ୟ ବିଡିଓ କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି । ଏସଂପର୍କରେ କନିଷ୍ଠ ଯନ୍ତ୍ରୀ ଜନ୍ମେଜୟ ବେହେରାଙ୍କୁ ପଚାରିବାରୁ ଚଣ୍ଡିଆପଲୀ ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ ଜାଣିନାହିଁ । ପୂର୍ବରୁ ଯେଉଁ ଯନ୍ତ୍ରୀ ଥିଲେ ସେ ଫାଇଲ ଦେଇନାହାନ୍ତି । ସେ କେମିତି ଜାଣିବି ବୋଲି ଓଲଟି ପ୍ରଶ୍ନ କରି ନିଜକୁ ନିଜେ ରକ୍ଷା କରୁଛନ୍ତି । ଏନେଇ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦା ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଏ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଝୁଲିବା ସମ୍ପର୍କରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।