ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ: ମନ୍ତ୍ରୀ 

 ଭୁବନେଶ୍ୱର : ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏହାର ନିରାକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଇ ସାରା ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛନ୍ତି । ଏହି କ୍ରମରେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପୂର୍ତ୍ତ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକରେ ପରିବେଶ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ । 
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି । ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଏବଂ ବିଭିନ୍ନ ଉନ୍ନତିକରଣ ନାମରେ ଅନେକ ବଡ ବଡ ଗଛକୁ କଟା ଯାଉଛି । ତେଣୁ, ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରି ପୁରୁଣା ଗଛକୁ କିପରି ଅନ୍ୟତ୍ର ସ୍ଥାନାନ୍ତରିତ କରିହେବ ସେଥି ପାଇଁ ସରକାର ଚିନ୍ତା କରୁଛନ୍ତି । 
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଅନୁରୂପ ଭାବେ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ବକୁଳ ଫାଉଣ୍ଡେସନ୍ର କର୍ମକର୍ତ୍ତା, ବୁଦ୍ଧିଜୀବୀ ଏବଂ ପ୍ରକୃତିପ୍ରେମୀ ଉପସ୍ଥିତ ଥିଲେ ।