୨୪ଲକ୍ଷ ଟଙ୍କାର ଚୋରି ସମାଗ୍ରୀ ଜବତ,ଜଣେ ଗିରଫ

 ସମ୍ବଲପୁର: ବ୍ୟାଙ୍କ ଉପରେ ଭରସା ନକରି ପଣ୍ଡା ପରିବାର ନିଜ ଘରେ ନଗଦ ଟଙ୍କା ଓ ସୁନାରୂପା ଅଳଙ୍କାର ରଖିଥିଲେ । ପଡୋଶୀ ଲୋକେ ଏହା ଜାଣିବା ପରେ ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ତାଲା ଭାଙ୍ଗି ଚୋରି କରିଥିଲେ । ବୁର୍ଲା ଥାନା ପୁଲିସ ଏହାର ତଦନ୍ତ କରି ତାଙ୍କ ପଡୋଶୀ ଆଶୁ ବେହେରା(୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୬ ଲକ୍ଷ୪୦ହଜାର ଟଙ୍କା ଓ ୮ଲକ୍ଷ ୬୦ଟଙ୍କାର ସୁନାରୂପା ଅଳଙ୍କାର ଜବତ ହୋଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଛି । ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଗ୍ରାମରେ ପ୍ରୀତି ପଣ୍ଡାଙ୍କ ପରିବାର ବସବାସ କରନ୍ତି । ପ୍ରୀତିଙ୍କ ରୋଜଗାର, ବାପା ନାରାୟଣ ପଣ୍ଡାଙ୍କ  ପେନସନ୍ ଓ ମାଆଙ୍କ ଯୌତୁକ ସୁନାଗହଣା ସବୁ ଏକାଠି କରି ଘରେ ଏକ ବ୍ୟାଗରେ ରଖିଥିଲେ । । ଏହା ଜାଣିପାରି ଅଭିଯୁକ୍ତ ନଗଦ ଟଙ୍କା ଓ ସୁନାରୂପା ଅଳଙ୍କାର ଚୋରି କରି ନେଇଥିଲେ । ଅଭିଯୋଗ ପରେ ପୁଲିସ ଏହାର ତଦନ୍ତ କରିଥିଲା । ତଦନ୍ତ ବେଳେ ଏହି  ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି । ମୋଟ ୨୪ ଲକ୍ଷ ୬୦ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି । ପୁଲିସ କହିବା ମୁତାବକ ଏତେ ପରିମାଣର ଟଙ୍କା ସୁନା ଘରେ ରଖିବା ବିପଦଜନକ ଅଟେ । ବ୍ୟାଙ୍କ ଗୁଡିକରେ ସୁରକ୍ଷିତ ଭାବେ ଏସବୁ ରଖାଯାଇପାରିବ । ତେଣୁ ତାଙ୍କ ନାମରେ ଏକ ଆକାଉଣ୍ଟ ଖୋଲାଯାଇ ଏହି ଟଙ୍କା ଜମା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି ।