‘ବଙ୍ଗରେ ମହିଳା ଅସୁରକ୍ଷିତ’ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି ଟିଏମ୍ସି ସରକାର

 କୋଲକାତା: ପଶ୍ଚିମବଙ୍ଗରେ ମହିଳା ସୁରକ୍ଷିତ ନୁହନ୍ତି । ଖାଲି ମହିଳା ନୁହନ୍ତି ସାଧାରଣ ଜନତା ମଧ୍ୟ ଅସୁରକ୍ଷିତ ଚକ୍ରବୁ୍ୟହରେ ପେସି ହେଉଛନ୍ତି । ଅପରାଧ ଘଟାଇ ଅପରାଧୀମାନେ ଖୁଲମଖୁଲା ବିଚରଣ କରୁଛନ୍ତି । ଆଉ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି  ଟିଏମ୍ସି (ତୃଣମୂଳ କଂଗ୍ରେସ) ସରକାର । ଗତ ଦୁଇଦିନ ତଳେ ପଶ୍ଚିମବଙ୍ଗର ସାଉଥ କାଲକାଟା ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମବର୍ଷର ଛାତ୍ରୀ ତାଙ୍କ ଉପରଶ୍ରେଣୀର ଦୁଇ ଛାତ୍ରଙ୍କ ଦ୍ୱାରା ଗଣବଳାକ୍ରାର ହେବା ଘଟଣାକୁ ନେଇ ଏପରି କହିଛନ୍ତି ମୋଦି । ସମ୍ପୃକ୍ତ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମ୍ସି ସରକାରଙ୍କୁ ଟାର୍ଗେଟ୍ କରିବା ସହ ରାଜ୍ୟରେ ଶିଳ୍ପପତିଙ୍କ ଠାରୁ ମୋଟା ଅଙ୍କର ପିସି ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି । ଆଉ ସେହି ଟଙ୍କାରେ ଟିଏମ୍ସି ସରକାର ଚାଲିଥିବା କହି ସମାଲୋଚନା କରିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ୫୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ପଶ୍ଚିମବଙ୍ଗର ଭିତ୍ତିଭୂମି, ସଂଯୋଗୀକରଣ ଓ ସ୍ୱଚ୍ଛଶକ୍ତିକୁ ବୃଦ୍ଧି କରିବା ଉଦେ୍ଦଶ୍ୟରେ ତୈଳ, ଗ୍ୟାସ୍, ବିଦୁ୍ୟତ୍, ରେଳ ଓ ରାସ୍ତା ସଂଯୋଗୀକରଣ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ପ୍ରକଳ୍ପ ଲୋକାର୍ପଣ ଓ ଶୁଭାରମ୍ଭ ପରେ ଦୁର୍ଗାପୁର ଠାରେ ଅନୁଷ୍ଠିତ ଏକ ସଭାକାର୍ଯ୍ୟରେ ଯୋଗ ଦେଇ ଟିଏମ୍ସି ସରକାର ବିରୋଧରେ ଉପରୋକ୍ତ ଟିପ୍ପଣୀମାନ ଦେଇଛନ୍ତି । ଏହାସହ ସେ ପଶ୍ଚିମବଙ୍ଗର ଆରଜି କର ମେଡିକାଲ୍ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମେତ ମୁର୍ସିଦାବାଦ ଦଙ୍ଗା କଥା ମଧ୍ୟ ଉଠାଇଥିଲେ । ରାଜ୍ୟର ଏହିସବୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟଣାକୁ ନେଇ ଦେଶ ବାହାର ରାଷ୍ଟ୍ର ଆଗରେ ଲଜ୍ଜିତ ହୋଇଥିବା କହିଥିଲେ । ସେହିପରି ରାଜ୍ୟର ଜଣାଶୁଣା ଶିଳ୍ପପତିଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିବା ମଧ୍ୟ ସେ କହିଥିଲେ । ଟିଏମ୍ସିର ପୋଷଗୁଣ୍ଡା ମାନେ ଶିଳ୍ପପତିଙ୍କ ଠାରୁ ବଳପୂର୍ବକ ଟଙ୍କା ଆଦାୟ କରୁଛନ୍ତି । ଆଉ ଏହି ଗୁଣ୍ଡା ଟ୍ୟାକ୍ସ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବାଧା ସାଜୁଛି ବୋଲି ମୋଦି କହିଛନ୍ତି । ସର୍ବୋପରି ଏ ମାମଲାଗୁଡ଼ିକରେ ପ୍ରକୃତ ଦୋଷୀଙ୍କୁ ଟିଏମ୍ସି ସରକାର ଘଣ୍ଟ ଘୋଡ଼ାଉଥିବା ମୋଦି ଅଭିଯୋଗ କରିଛନ୍ତି । ଶାସକ ଦଳର ପ୍ରରୋଚନାରେ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି ।