ବଜ୍ରପାତ ଚେତାବନୀ
ଭୁବନେଶ୍ୱର: ଆସନ୍ତାକାଲି ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷାର ସମ୍ଭାବନା ରହିଛି । ଏତଦବ୍ୟତୀତ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ମଧ୍ୟାହ୍ନ ଓ ସଂଧ୍ୟାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବା ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅପରପକ୍ଷରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି ।ଓଡ଼ିଶାର କିଛି ଜିଲ୍ଲାରେ ତାତି ୨ରୁ ୩ ଡିଗ୍ରୀ ବଢ଼ିଛି । ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାତି ୩ ଡିଗ୍ରୀ କମିଛି । ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାତି ସ୍ୱାଭାବିକ ଠାରୁ ୫ରୁ ୧୦ ଡିଗ୍ରୀ ସେଲସିୟସ୍ କମ୍ ଥିଲା । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ତାତି କମିଥିବାବେଳେ ଆଉ କିଛି ସ୍ଥାନରେ ତାତି ୩ ଡିଗ୍ରୀ କମିଥିବା ରେକର୍ଡ଼ କରାଯାଇଛି ।