ଜେଲରେ କୁବେର ବୈକୁଣ୍ଠ
ଭୁବନେଶ୍ୱର/କଟକ : ଆଜି ଅବସରକାଳୀନ ସମ୍ବଦ୍ଧ୍ୱର୍ନା ପାଇଥା’ନ୍ତେ । ଅଧସ୍ତନ ଅଧିକାରୀମାନେ ଦିପଦ ଭଲ କଥା କହିଥା’ନ୍ତେ । ହେଲେ ଆୟ ବର୍ହିଭୂତ ସମ୍ପତ୍ତି ପାଇଁ ଆଜି ହିଁ ଜେଲ୍ ଯିବାକୁ ପଡ଼ିଲା । ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କର ୫ ଗୁଣା ଆୟ ବର୍ହିଭୂତ ସମ୍ପତ୍ତି ଥିବା ଜଣାପଡ଼ିଛି ।
ଗତକାଲି ବୈକୁଣ୍ଠଙ୍କ କୁବେରପୁରୀ ଦେଖି ସାରା ଓଡ଼ିଶା ତାଜୁବ୍ ହୋଇଯାଇଥିଲା । ଚଢ଼ାଉ ବେଳେ ଆଜି ତାଙ୍କ ଘରୁ କ’ଣ କ’ଣ ମିଳିଥିଲା ସେନେଇ ଭିଜିଲାନ୍ସ ପକ୍ଷରୁ ହିସାବ ଦିଆଯାଇଛି । ଭିଜିଲାନ୍ସର ମିଳିଥିବା ତଥ୍ୟ ଅନୁଯାୟୀ, ଅନୁଗୁଳର କରଡ଼ଗାଡ଼ିଆରେ ତାଙ୍କର ୩୨ ଶହ ବର୍ଗଫୁଟର ଏକ ଆବାସିକ ଘର ଅଛି । ସେହିପରି ଅନୁଗୁଳର ମାଟିଆ ସାହିରେ ଅଛି ହଜାରେ ବର୍ଗଫୁଟର ଦୋତାଲା କୋଠା । ଡୁମୁଡୁମାର ପିଡ଼ିଏନ ଏକଜୋଟିକାରେ ୧୫୩୦ ବର୍ଗ ଫୁଟର ଫ୍ଲାଟ, ପିପିଲିର ସିଉଳାରେ ୧୧ ଶହ ବର୍ଗଫୁଟର ଫ୍ଲାଟ, ଭୁବନେଶ୍ୱର ଓ ଅନୁଗୁଳରେ ୭ଟି ଦାମୀ ପ୍ଳଟ ଅଛି । ଏହାଛଡ଼ା ଅନୁଗୁଳ କରଡ଼ଗାଡ଼ିଆ ଘରୁ ୨ କୋଟି ୫୬ ଲକ୍ଷ ୩୦ ହଜାର ଟଙ୍କା ଓ ଡୁମୁଡୁମା ଫ୍ଲାଟରୁ ୧ କୋଟି ୨୧ ଲକ୍ଷ ୯୫ ହଜାର ଟଙ୍କାର କ୍ୟାସ ବି ମିଳିଥିଲା । ତାଙ୍କ ପାଖରେ ୧୧୪୧ ଗ୍ରାମର ସୁନା ଅଳଙ୍କାର ଓ ୧୫ଟି ଦାମୀ ଘଣ୍ଟା ମଧ୍ୟ ଅଛି । ସେୟାର ମାର୍କେଟ୍, ମୁ୍ୟଟୁଆଲ ଫଣ୍ଡ ଓ ଇନ୍ସୁରାନ୍ସରେ ୨ କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ବ୍ୟାଙ୍କରେ ବି ଦେଢ଼ କୋଟି ଟଙ୍କାର ଜମା ରହିଛି । ଘରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ଥିବାବେଳେ ଗୋଟିଏ ଚାରିଚକିଆ ଓ ଦିଚକିଆ ବି ଥିବା ଜଣାପଡ଼ିଛି । ଏହିପରି ଭାବେ ନିଜ ଆୟ ଠାରୁ ତାଙ୍କ ପାଖରେ ୫ ଗୁଣା ଅଧିକ ସମ୍ପତ୍ତି ଥିବା ସ୍ପଷ୍ଟ ହୋଇଛି ।