ବଞ୍ଜାରୀ ଦେବୀ ମନ୍ଦିରରୁ ବିଜେଡ଼ିର ପ୍ରଚାର ଆରମ୍ଭ
ଭୁବନେଶ୍ୱର/ନୂଆପଡା : ବିଜୁ ଜନତା ଦଳ ଆଜି ଠାରୁ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା' ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡାର ଶାନ୍ତି, ଉନ୍ନତି ଓ ସମୃଦ୍ଧି ପାଇଁ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତଥା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ବଡ ବ୍ୟବଧାନରେ ବିଜେଡିର ବିଜୟ ପାଇଁ ଆହ୍ୱାନ ଜଣାଇଥିଲେ । ବିପୁଳ ଜନସମାଗମକୁ ସମ୍ୱୋଧିତ କରି ଶ୍ରୀମତୀ ଛୁରିଆ କହିଥିଲେଯେ, ନୂଆପଡାର ସାମଗ୍ରୀକ ବିକାଶ ପାଇଁ ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ ହେଲା ।
ସେ କହିଥିଲେଯେ, ‘ବିଜୁ ଜନତା ଦଳ ସଦା ସେବା ଓ ଲୋକକଲ୍ୟାଣ ପାଇଁ କାମ କରୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମର ସ୍ୱାର୍ଥ ବିହୀନ ସେବା ଓ ଜନକଲ୍ୟାଣ ଧାରା ଜାରି ରହିଛି । ବିଜୁ ପଟ୍ଟନାୟକଙ୍କ ଶାସନକାଳରେ ନୂଆପଡା ଏକ ଜିଲ୍ଲାର ମାନ୍ୟତା ପାଇଥିଲା । ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱକୁ ଆଜି ମଧ୍ୟ ନୂଆପଡାବାସୀ ସମ୍ମାନର ସହ ସ୍ମରଣ କରି ଆସୁଛନ୍ତି । ସଭାରେ ବକ୍ତବ୍ୟ ରଖି ଦଳର ନେତୃବୃନ୍ଦ ବିଜେପି ନେତୃତ୍ୱର ‘ଡବଲ୍ ଇଞ୍ଜିନ୍ ସରକାର’ ଉପରେ ତୀବ୍ର ଆକ୍ରମଣ କରି କହିଥିଲେଯେ, ଗତ ୧୬ ମାସ ଧରି ଏହି ସରକାର ନୂଆପଡାରେ ‘ଡବଲ୍ ଧ୍ୱଂସ’ ଲୀଳା ଚଳାଇଛି । ଜିଲ୍ଲାବାସୀଙ୍କ ଜୀବନଜୀବିକା ଘୋର ବିପଦରେ ପଡିଛି । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଭାପତି ଅବନୀ ରଞ୍ଜନ ଜୋଷୀ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟିକା ମନୋରମା ମହାନ୍ତି, ମନୋଜ ମିଶ୍ର (ସାଧାରଣ ସମ୍ପାଦକ) ଓ ବରିଷ୍ଠ ନେତା ଭାନୁ ପ୍ରତାପ ସିଂହ ମାଝୀ ପ୍ରମୁଖ ଉଦ୍ବୋଧନ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଲାଗି ଆହ୍ୱାନ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେଯେ, ନୂଆପଡାର ଲୋକମାନେ ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନତାର ଫଳ ଭୋଗୁଛନ୍ତି । ବରିଷ୍ଠ ବିଜେଡି ନେତା ରମେଶ ମାଝୀ, ମନୋହର ରନ୍ଧାରୀ, ରମେଶ ବେହେରା, ବିଜୟ ନାୟକ, ସରସ୍ୱତୀ ବାଗ ଓ ସେଫାନଲି ଶର୍ମା ଉପସ୍ଥିତ ରହି ଶ୍ରୀମତୀ ଛୁରିଆଙ୍କ ବିଜୟ ନେଇ ବିଶ୍ୱାସବ୍ୟକ୍ତ କରିଥିଲେ ।ଏହା ପୂର୍ବରୁ ନୂଆପଡାର ତନୁଆଟ ସ୍ଥିତ ଆଦିବାସୀ ସମାଜ ଭବନରେ ଏକ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଅନେକ ଆଦିବାସୀ ନେତା ଓ ସମୁଦାୟ ନିବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳର ଅନେକ ନେତା ଏବଂ କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଏହି ଅବସରରେ ପ୍ରତାପ ଜେନା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ରମେଶ ବେହେରା, ଭାନୁ ପ୍ରତାପ ସିଂହ ମାଝୀ, ବିହାରୀଲାଲ ବିଶ୍ୱାଳ, ହରପ୍ରସାଦ ମାଝୀ, ତେଜରାଜ ଶବର, ଲିଲେଶ୍ୱର ମାଝୀ, ପର୍ଶୁରାମ ମାଝୀ, କପୁରଚନ୍ଦ ମାଝୀ, ମାନିକ ମାଝୀ, ହୀରାଲାଲ ମାଝୀ, ଚଗନ ମାଝୀ ଓ ତୀରଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।