ବଢୁଛି ଅନୁପ୍ରବେଶକରୀ ସଂଖ୍ୟା
ତାଳଚେର: ତାଳଚେର ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦିନକୁ ଦିନ ଅନୁପ୍ରବଶେକରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାକୁ ଲାଗିଛି । ଏହି ଅନୁପ୍ରବେଶକାରୀମାନେ ବିଭିନ୍ନ ସରକାରୀ ଜମିକୁ ଦଖଲ କରିବା ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ଏବେ କଳକାରଖାନା ବୃଦ୍ଧି ଯୋଗୁଁ ବାଙ୍ଗାଲୀଦେଶୀ, ପଶ୍ଚିମବଙ୍ଗ ଓ ବିଭିନ୍ନ ରାଜ୍ୟରୁ ଆସି ପ୍ରତ୍ୟେକ କାର୍ଯ୍ୟରେ ନିୟୋଜିତ ହୋଇ ଠିକା ଶ୍ରମିକ, ଗୃହ ନିର୍ମାଣ ମିସ୍ତ୍ରୀ, ଫେରିବାଲା ସାଜି ସହର ଓ ଗାଁ ଗହଳିରେ ଘୁରି ବୁଲୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଅପରାଧିକ କାର୍ଯ୍ୟ ଯଥା ଛିନ୍ତାଇ, ରାହାଯାନୀ ଓ ଡ଼କାୟତି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହେଉଛି । ଏହାର ପ୍ରମାଣ ସ୍ୱରୂପ ଅନେକ ସମୟରେ ମୁର୍ସିଦାବାଦ ଶ୍ରମିକ ବୁଲାଉଥିବା ବ୍ୟକ୍ତିମାନଙ୍କ ଠାରୁ ମାରାତ୍ମକ ଧଳାଜହର କାରବାର କରୁଥିବା ଅଭିଯୋଗରେ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକାଧିକ ଦୃଷ୍ଟାନ୍ତ ରହିଛି । ଅନେକ ଶ୍ରମିକ, ଫେରିବାଲା, କାବାଡ଼ି ଓ ଜରିଗୋଟାଳିମାନେ ନକଲି ଆଧାରକାର୍ଡ଼ ବନାଇ ସେମାନେ ମୁର୍ସିଦାବାଦ୍ ଅଞ୍ଚଳର ବୋଲି ସୂଚାଉଥିବାବେଳେ ପ୍ରକୃତରେ ସେମାନେ ଭାରତର ନା ବାଙ୍ଗଲାଦେଶୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହା ସହ ଏବେ ପାର୍ବଣ ଋତୁ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ପୂଜା ଉତ୍ସବ ହେଉଥିବାରୁ ବହୁ ବାହାର ରାଜ୍ୟର ଲୋକେ ବ୍ୟବସାୟୀ କରିବା ଉଦେ୍ଦଶ୍ୟରେ ପ୍ରାୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହେଉଛି । ତେଣୁ ସେମାନଙ୍କ ଗତିବିଧି ଉପରେ ପୁଲିସ୍ ଯଦି ଦୃଷ୍ଟି ନ ଦିଏ, ତେବେ ଆଗାମୀ ଦିନରେ ତାଳଚେର ଅଞ୍ଚଳରେ ଅପରାଧିକ କାର୍ଯ୍ୟକୁ ରୋକିବା ଦିଗରେ କଷ୍ଟକର ହୋଇପଡ଼ିବ ବୋଲି କୁହାଯାଉଛି । ଓଡ଼ିଶା ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କ ସହ ବାଙ୍ଗଲାଦେଶୀମାନଙ୍କୁ ଯଦି ପୁଲିସ୍ ଚିହ୍ନଟ କରି ତାଙ୍କ ପରିଚୟ ପତ୍ର ଯାଞ୍ଚ କରିବାର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।
ଏବେ ଶିଳ୍ପନଗରୀ ତାଳଚେର ଅଞ୍ଚଳର ବିଭିନ୍ନ ଖଣି ଓ କଳକାରଖାନାରେ କିଛି ବଳକା ଜମି, ସରକାରୀ ଜମି ଓ ସହରକୁ ଲାଗି ରହିଥିବା ଗାଁଗଣ୍ଡା ଗୁଡ଼ିକରେ ଆଉ ଖାଲି ସ୍ଥାନ ଦେଖିବାକୁ ମିଳୁନି । ସାଉଥବଲଣ୍ଡା ଗୁରୁଦ୍ୱାର ଏମସିଏଲ କିଛି ଜମି ଅଧିଗ୍ରହଣ ପରେ ଅନ୍ୟ ବଳକା ଜମିରେ ମାଳମାଳ ଘର ନିର୍ମାଣ କରି ଏମାନେ ବସବାସ କରୁଥିବା ଅଭିଯୋଗ ହେଉଛି । ସେହିଭଳି ଏମ୍ସିଏଲ ପରିତ୍ୟକ୍ତ ଜମି, କ୍ୱାର୍ଟର ଗୁଡ଼ିକ ସହ ରେମୁଁଆ, ତାଳଚେର ରେଳଷ୍ଟେସନ, ଏଫସିଆଇ, ଥର୍ମାଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏମାନେ ରହୁଥିବା ଦେଖାଯାଇଛି । ତେବେ ଏମାନେ ମାଗଣା ଲାଇନ୍, ପାଣି ବ୍ୟବହାର କରିବା ସହ କିପରି ଭାବେ ରାସନକାର୍ଡ଼ ଓ ଆଧାରକାର୍ଡ଼ ହାତଉଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି । ତେଣୁ ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।