ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତତା, ତଦନ୍ତ ଦାବି

 କପ୍ତିପଦା : ୨୬ ଗୋଟି ପଞ୍ଚାୟତକୁ ନେଇ ଗଢି ଉଠିଥିବା କପ୍ତିପଦା ଏକ ବୃହତ ବ୍ଲକ । ବ୍ଲକର ଅଧିକାଂଶ ଅଞ୍ଚଳ ଅଧିବାସୀ ଅଧିଷ୍ଠିତ ଓ ଶିକ୍ଷା କ୍ଷେତ୍ରରେ ଅବହେଳିତ । ଏହି ବ୍ଲକର ଶିକ୍ଷା ବିଭାଗ ଭାରି ଦୁର୍ଦ୍ଦିନରେ ଗତି କରୁଛି । ଅପାରଗ ଏବଂ ଦୁର୍ନୀତିଖୋର ଶିକ୍ଷା ଅଧିକାରୀଙ୍କ ହାତରେ ବ୍ଲକକୁ ଟେକି ଦେଇ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଗତ ଅଗଷ୍ଟ ୬ରେ ମୟୁରଭଞ୍ଜ ଜିଲ୍ଲାର ଶିକ୍ଷକମାନଙ୍କ ବଦଳି ପାଇଁ ଜିଲ୍ଲାସ୍ତରୀୟ କମିଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏଥିରେ କମିଟିର ଅଧ୍ୟକ୍ଷଙ୍କୁ ଭୁଆଁ ବୁଲାଇ କପ୍ତିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭିନ୍ନ ବେନିୟମ ବଦଳି ପ୍ରସ୍ତାବକୁ ଅନୁମୋଦନ କରାଇଥିବା ଅଭିଯୋଗ ହୋଇଛି । ବାରହାଗାଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ପ୍ରକାଶ ବିନ୍ଧାଣିଙ୍କୁ ବାଘବସା ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇ, ବାରହାଗଡ଼ିଆ ପ୍ରାଥମିକ ବିଦ୍ୟାଳୟକୁ ଏକ ଶିକ୍ଷକ ବିଶିଷ୍ଠ ଦର୍ଶାଇ ତାପସ ପାଣିଗ୍ରାହୀଙ୍କୁ ସଙ୍ଗାସୋୟାସାହି ପ୍ରାଥମିକ ବିଦ୍ୟାଳୟରୁ ବାରହାଗଡ଼ିଆ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି । ସେହିପରି ମାମିଲତା ନାଏକ ଡୁଭିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ହୋଇଥିଲେ ମଧ୍ୟ ତାଙ୍କୁ ଭାଲୁବସା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦର୍ଶାଇ ମହୁଲଡିହା ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି । ସେହିପରି ଶାଳଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିନତୀ ଦେଓ ଡିପ୍ଲୋଏମେଣ୍ଟରେ ଥିବା ସ୍ୱତ୍ତ୍ୱେ ଦିଲ୍ଲୀପ ମାଝୀଙ୍କୁ ସରପ୍ଲସ ଦର୍ଶାଇ ବସୁଦର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି । କଳମଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯ଟି କ୍ଲାସରେ ୨୨୨ଜଣ ପିଲା ଅଧ୍ୟୟନରତ ଥାଇ ୬ଜଣ ଶିକ୍ଷକ ସ୍ଥାୟୀ ଭାବେ ଓ ଜଣେ ଡିପ୍ଲୋଏମେଣ୍ଟରେ କାର୍ଯ୍ୟ କରୁଥିଲେ । କିନ୍ତୁ ଏହି ବିଦ୍ୟାଳୟରେ ଛାତ୍ର ଅନୁପାତରେ ଶିକ୍ଷକ ନ ରଖି ୩ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ବଦଳିଗୁଡିକ ସମ୍ପୂର୍ଣ୍ଣ ଭାବେ ନିୟମ ବହିର୍ଭୁତ ଓ ଏଥିରେ ଦୁର୍ନୀତିର ଗନ୍ଧ ସମ୍ପୂର୍ଣ୍ଣ ବାରି ହୋଇପଡୁଛି । ସରକାରଙ୍କ ନିଦେ୍ର୍ଦଶ ମତେ ଏ ବର୍ଷ ଖରାଛୁଟି ଆଗୁଆ ହୋଇଥିବାରୁ ୧୧ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଓ ଟଙ୍କା ପିଲାମାନଙ୍କୁ ବଣ୍ଟାଯିବାର ଥିଲା । କିନ୍ତୁ ଅଧିକାଂଶ ବିଦ୍ୟାଳୟକୁ ଚାଉଳ ଠିକ୍ ଭାବେ ଯୋଗାଣ ହୋଇ ନ ଥିବାରୁ କପ୍ତିପଦା ବ୍ଲକରେ ଏହି ଯୋଜନା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲାନାହିଁ । ଏହି ସବୁ ଅନିୟମିତତା ବାବଦରେ ଉପଯୁକ୍ତ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ବାବଦରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମଙ୍କୁ ପଚାରିବାକୁ ଆମେ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ସେ ଆମ ଫୋନ୍ ଉଠାଇ ନ ଥିଲେ ।