ବଢୁଛି ନକଲି ସମାଜସେବୀ ଓ ସାମ୍ବାଦିକଙ୍କ ଦୌରାତ୍ମ୍ୟ
ଜଗତସିଂହପୁର: ନାଉଗାଁ ବ୍ଲକରେ କେତେଜଣ ବ୍ୟକ୍ତି ନିଜକୁ ସମାଜସେବୀ ଓ ସାମ୍ବାଦିକ ପରିଚୟ ଦେଇ ଦୌରାତ୍ମ୍ୟ ଆରମ୍ଭ କରିଛନ୍ତି । ସୂଚନା ଅଧିକାର ଆଇନ୍ ବଳରେ ବିଭିନ୍ନ କର୍ମଚାରୀଙ୍କ ନାମରେ ତଥ୍ୟ ନପାଇ ବ୍ଲାକମେଲ କରିବା ସହିତ ଚାନ୍ଧା ଆଦାୟ କରୁଥିବା ଅଭିଯୋଗ ହେଉଛି । ଏହି ନକଲି ସାମ୍ବାଦିକ ପରିଚୟ ଦେଉଥିବା ବ୍ୟକ୍ତିଙ୍କୁ ବ୍ଲକର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଓ କେତେକ କିରାଣୀ ସହଯୋଗ କରୁଥିବା ଦେଖାଯାଉଛି । ଏପରକି ଉକ୍ତ ୩/୪ ଜଣ ବ୍ୟକ୍ତି ଦୈନିକ ବ୍ଲକକୁ ଆସି ଦିନ ବ୍ଲକ୍ କର୍ମଚାରୀ ଭଳି କାର୍ଯ୍ୟାଳୟରେ ବସି ବ୍ଲାକ୍ମେଲ୍ କାରବାର ଚଳାଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ନିଜକୁ ସମାଜସେବୀ ତଥା ସାମ୍ବାଦିକ ପରିଚୟ ଦେଉଥିବା ଜଣେ ଯୁବକ ଏକ ଖବର କାଗଜରେ ପୂର୍ବରୁ କାମ କରୁଥିଲେ । ବର୍ତ୍ତମାନ ତାଙ୍କ ପରିଚୟପତ୍ର ନବୀକରଣ ହୋଇନାହିଁ ଓ ସମ୍ବାଦପତ୍ର ଏକ ପ୍ରକାର ବନ୍ଦ ହୋଇଗଲାଣି । ମାତ୍ର ସେ ବ୍ୟକ୍ତି ଜଣକ ପ୍ରତିଦିନ ବ୍ଲକ କର୍ମଚାରୀଙ୍କ ଭଳି ବ୍ଲକରେ ପହଂଚି ବ୍ଲାକମେଲ କରିବା ସହିତ ବିଭିନ୍ନ କର୍ମଚାରୀ ଓ ସମ୍ପର୍କରେ ସୂଚନା ଅଧିକାର ଆଇନି ବଳରେ ତଥ୍ୟ ମଗାଉଛନ୍ତି । ଏପରିକି କେତେକ କର୍ମଚାରୀ ତାଙ୍କୁ କମ୍ପୁ୍ୟଟର ପାସୱାର୍ଡ ଓ ମେଲ ଆଇଡି ମଧ୍ୟ ଦେଇଛନ୍ତି । ତେଣୁ ବ୍ଲକରେ ବିଭିନ୍ନ ଯୋଜନାରେ ହେଉଥିବା ଜାଲିଆତି ସମ୍ପର୍କରେ ସେ କର୍ମଚାରୀଙ୍କ ଠାରୁ ସୂଚନା ପାଇ ବ୍ଲାକମେଲ କରୁଛନ୍ତି । କେବଳ ନାଉଗାଁ ବ୍ଲକ ନୁହେଁ ନାଉଗାଁ ତହସିଲ କାର୍ଯ୍ୟାଳୟ ଓ ଥାନାରେ ମଧ୍ୟ ଦଲାଲି ଚଳାଇଛନ୍ତି । ଏଭଳି ଜାଲିଆତି ପ୍ରସଙ୍ଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବା ସାହିତ ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସହାୟତାରେ ଚାଲିଥିବା ବ୍ଲାକ୍ମେଲ୍ କାରବାର ବନ୍ଦ କରିବାପାଇଁ ପଦକ୍ଷେପ ନେବାପାଇଁ ଦାବି ହେଉଛି ।