ବଢୁଛି ବେଆଇନ ଇଟାଭାଟି ସଂଖ୍ୟା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେଆଇନ ଇଟାଭାଟି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତା ସହିତ ଏଥିରେ ଲଗାମ ନ ଥିବା ଭଳି ମନେହୁଏ । ଏବେ ଜିଲ୍ଲାର ଇଟାଭାଟି ଏକ ପ୍ରକାର କୁଟିର ଶିଳ୍ପରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ଇଟାଭାଟି ମାଲିକ ବେଆଇନ ଜଙ୍ଗଲରୁ ଗଛ କାଟି ଇଟାଭାଟିରେ ବ୍ୟବହାର କରୁଥିବା ବେଳେ, ବନ ବିଭାଗର ନଜର ଏଥିପ୍ରତି କିଭଳି ପଡୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବନ ବିଭାଗ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଜିଲ୍ଲାର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳରେ କୋଠା ନିର୍ମାଣ ସାଙ୍ଗକୁ ଆବାସ ଯୋଜନାରେ ଚାଲିଛି ଘର ନିର୍ମାଣ କାମ । ସେଥିପାଇଁ ମାଟି ଇଟାର ଚାହିଦା ବଢିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ନଦୀ ଓ ନାଳ ନିକଟରେ ଇଟାଭାଟି ମାଲିକମାନଙ୍କ ରାଜସ୍ୱ ବିଭାଗର ବିନା ଅନୁମତିରେ ବେଆଇନ ଇଟାଭାଟି କରି ରାଜସ୍ୱ ଫାଙ୍କି ମାଲେମାଲ ହେଉଥିବା ଦେଖିବାକୁ ମିଳୁଛି । ହେଲେ ରାଜସ୍ୱ ବିଭାଗ ପକ୍ଷରୁ ଏମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ରାଜସ୍ୱ ବିଭାଗ, ବନ ବିଭାଗ ଓ ଇଟାଭାଟି ମାଲିକଙ୍କ ସଲାସୁତୁରାରେ ଚାଲିଛି ଇଟାଭାଟି । ଯାହାଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି । ଶହ ଶହ ସଂଖ୍ୟାରେ ଇଟାଭାଟି ପୋଡିବା ଯୋଗୁଁ ମାତ୍ରାଧିକ ଉତ୍ତାପ ଅନ୍ୟ ଏକ କାରଣ ବୋଲି ପରିବେଶବିତ୍ ମତ ରଖିଛନ୍ତି । ଜିଲ୍ଲାର ମ.ରାମପୁର, ନର୍ଲା, କରଲାମୁଣ୍ଡା, ଜୁନାଗଡ ଆଦି ବ୍ଲକ୍ର ବିଭିନ୍ନ ଗାଁରେ ଶହ ଶହ ସଂଖ୍ୟାରେ ବେଆଇନ ଭାବେ ଇଟାଭାଟି ପୋଡିବା ଦେଖିବାକୁ ମିଳୁଛି । ଯାହାଫଳରେ ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ହେଉଛି । ଏହି ରାସ୍ତା ଦେଇ ବ୍ଳକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯିବା ଆସିବା କରୁଥିଲେ ହେଁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ତେଣୁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।