ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୩ ମାସରେ ଦୁର୍ଘଟଣାରେ ଯାଇଛି ୫୦ ଜୀବନ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଜାନୁଆରୀ ମାସରୁ ମାର୍ଚ୍ଚ ଗତ ୩ ମାସରେ ୧୦୬ଟି ଦୁର୍ଘଟଣାରେ ୫୦ ଜଣଙ୍କର ମୃତୁ୍ୟ ହୋଇଥିବା ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକରେ ସୂଚନା ଦିଆଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭା ଗୃହରେ ସଡ଼କ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ସହର ମଧ୍ୟରେ ବେପରୁଆ ଗାଡ଼ିଚାଳନା, ରାସ୍ତାରେ ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି, ମଦ୍ୟପ ଚାଳକମାନଙ୍କ ଯାଞ୍ଚ, ଜାତୀୟ ରାଜପଥରେ ପ୍ରମୁଖ ଛକ ମାନଙ୍କରେ ସଠିକ୍ ସୂଚନାଫଳକ ଲଗାଯିବା, ଯାତ୍ରୀ ବାହୀବସ୍ ଗୁଡ଼ିକରେ ପାନୀୟ ଜଳ ଏବଂ ଓ ଆରଏସ ପାଉଡ଼ର ରଖିବା ନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରକାଶ ଯେ, ଗତ ବର୍ଷ ଜାନୁଆରୀରେ ୪୨ଟି ଦୁର୍ଘଟଣାରେ ୨୨ଜଣ ଏବଂ ଫେବୃଆରୀରେ ୩୮ଟି ଦୁର୍ଘଟଣା ଘଟି ୧୬ ଜଣ ଏବଂ ମାର୍ଚ୍ଚ ମାସରେ ୩୫ଟି ଦୁର୍ଘଟଣାରେ ୨୨ ଜଣ ମୃତୁ୍ୟବରଣ କରିଥିଲେ । ତେବେ ଚଳିତ ବର୍ଷ ଜାନୁଆରୀରେ ୩୮ଟି ଦୁର୍ଘଟଣାରେ ୧୯ ଜଣ ଏବଂ ଫେବୃଆରୀରେ ୨୩ଟି ଦୁର୍ଘଟଣାରେ ୧୩ଜଣ ଏବଂ ମାର୍ଚ୍ଚ ମାସରେ ୪୫ ଟି ଦୁର୍ଘଟଣାରେ ୧୮ଜଣ ମୃତୁ୍ୟବରଣ କରିଥିବା ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କ ସମେତ ଏମ୍ଭିଆଇ ଦେବାଶିଷ ସ୍ୱାଇଁ, ରାପିଡ୍ ରେସ୍ପନସ୍ ଟିମର ସଂଯୋଜକ ବିରଞ୍ଚି ନାରାୟଣ ପାଣି, କମିଟିର ସଦସ୍ୟ ରତନ କୁମାର ନାୟର ଏବଂ ପ୍ରଦୁ୍ୟମ୍ନ ରଥ, ଜାତୀୟ ରାଜପଥ ପ୍ରାଧିକରଣର କର୍ମକର୍ତ୍ତା, ଏନଜିଓ ପ୍ରୟାସର କର୍ମକର୍ତ୍ତା, ବସ ମାଲିକ ସଂଘର କର୍ମକର୍ତ୍ତା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।