ବଢୁଛି ବେଆଇନ ମଦ କାରବାର, ନିଷ୍କ୍ରିୟ ପ୍ରଶାସନ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ବେଆଇନ ମଦ ବିକ୍ରି ବଢିବାରେ ଲାଗିଥିବା ବେଳେ ମଦ୍ୟପଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିବାରେ ଲାଗିଛି । ସରକାରୀ ନିୟମ ଅନୁଯାୟୀ କେବଳ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ହିଁ ମଦ ବିକ୍ରୟ କରିବା କଥା, କିନ୍ତୁ ପଡିଆ ବ୍ଲକ୍ ସଦରରେ ଅନେକ ଦୋକାନୀ ଓ ଲୋକେ ନିଜ ଘରେ ଏବଂ ଦୋକାନରେ ମଦ ରଖି ଚୋରାରେ ମଦ ବିକ୍ରୟ କରୁଥିବା ଅଭିଯୋଗହୋଇଛି । ଯାହାଫଳରେ ଯୁବପିଢୀ ପଥ ଭ୍ରଷ୍ଟ ହେଉଥିବାବେଳେ ମଦ୍ୟପମାନେ ବିଭିନ୍ନ ସ୍ଥାନରେ ମଦର ଆସର ଜମାଉ ଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକ ସଦରରେ ଥିବା ମାର୍କେଟ କମ୍ପେକ୍ସର ଉପର ମହଲାକୁ ମଧ୍ୟ ମଦ୍ୟପ ମାନେ ନିଜର ଆଡ୍ଡାସ୍ଥଳୀ କରି ଦେଇଥିବା ବେଳେ ସେଠାରେ ଅନେକ ମଦ ବୋତଲ ପଡିଥିବା ସହ ସ୍ଥାନଟି ଅପରିଷ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାର୍କେଟ କମ୍ପ୍ଲେକ୍ସର ଉପର ମହଲାଟି ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ଲୋକଙ୍କ ହିତ ପାଇଁ ଏହା ନିର୍ମାଣ କରଯାଇଥିଲା । ଏପରିକି ତଳ ମହଲରେ ମଧ୍ୟ କିଛି ଦୋକାନ ରହିଥିବା ବେଳେ ସେଠାରେ ନୀତି ପ୍ରତିଦିନ ଅନେକ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ମହିଳା ଓ ବୟସ୍କ ବ୍ୟକ୍ତି ବିଭିନ୍ନ ସାମଗ୍ରୀ କ୍ରୟ କରିବାକୁ ଯାନ୍ତି । କିନ୍ତୁ ମାର୍କେଟ କମ୍ପ୍ଲେକ୍ସର ଉପର ମହଲାରେ ଦୋକାନ ଗୃହ ରହିଥିଲେ ହେଁ କୌଣସି ଦୋକାନ ଖୋଲା ଯାଇନଥିବାରୁ ଏହାକୁ ମଦ୍ୟପ ମାନେ ନିଜର ଆଡ୍ଡା ଭାବେ ବ୍ୟବାହର କରୁଥିବା ଦେଖିବାକୁ ମିଳିଛି । ଫଳରେ ଉକ୍ତ ସ୍ଥାନରେ ଅନେକ ମଦ ବୋତଲ ପଡି ରହିବା ସହ ବିଭିନ୍ନ ଆବର୍ଜନା ଜମା ହୋଇ ସ୍ଥାନଟି ଅପରିଷ୍କାର ହେବାର ଲାଗିଛି । ଏନେଇ ପୁଲିସ ପ୍ରଶାସନ ଓ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।