ବଢୁଛି ସମସ୍ୟା, କମୁନି ଦୁର୍ଦ୍ଦଶା
ସ୍ୱତନ୍ତ୍ର ପ୍ରତିନିଧି
ଉକ୍ରଳ କେଶରୀ ପାହାଡସିଂ
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ ଚିକିତ୍ସା ପ୍ରଣାଳୀ ଉନ୍ନତ ନଥିବା ଓ ଅତ୍ୟାଧୁନିକ ଡାକ୍ତରୀ ଉପକରଣ ନଥିବାରୁ ସିଂହଭାଗ ରୋଗୀ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ ହେଉଛନ୍ତି । ଜିଲ୍ଲାବାସୀଙ୍କ ମୁହଁରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେଫରାଲ୍ ମେଡିକାଲର ପରିଚୟ ପାଇଛି । ତଥ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ ୨୪ଟି ୧୦୮ ଆମ୍ବୁଲାନ୍ସ ରହିଥିବା ବେଳେ, ସେଥିରୁ ୪ଟି ଆମ୍ବୁଲାନ୍ସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ସଂରକ୍ଷିତ ରହିଛି । ଏହି ଆମ୍ବୁଲାନ୍ସ ଗୁଡିକ ପ୍ରତ୍ୟେକ ଦିନ ୧୨ ରୁ ୧୫ଜଣ ରୋଗୀଙ୍କୁ କଟକ ନେଉଥିବା ବେଳେ ଜିଲ୍ଲାର ଅନ୍ୟ ସିଏଚ୍ସିଙ୍କରୁ ମଧ୍ୟ କଟକ ବଡ଼ ମେଡିକାଲକୁ ଏକାଧିକ ରୋଗୀ ସ୍ଥାନାନ୍ତର ହେଉଛନ୍ତି । ସେହିପରି ଘରୋଇ ଆମ୍ବୁଲାନ୍ସ ୪ଟିରେ ପ୍ରତ୍ୟେକ ଦିନ ୮ ରୁ ୧୦ ଜଣ ଏବଂ ନିଜ ଚେଷ୍ଟାରେ ବିଭିନ୍ନ ଘରୋଇ ଗାଡି ଭଡା କରି ଅନେକ ରୋଗୀ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଯାଇ ଚିକିତ୍ସିତ ହେଉଥିବା ଦେଖାଯାଉଛି । କିନ୍ତୁ ବିଡମ୍ବନାର ବିଷୟ କେନ୍ଦ୍ରାପଡାବାସୀ ଏଥିରୁ ବଞ୍ଚôତ ହୋଇ ଅନେକ ସମୟରେ ଜୀବନ ହରାଇବା ପାଇଁ ପଡୁଛି । ସମସ୍ୟା ସେତିକିରେ ଅଟକିନି ଦୁର୍ଦ୍ଦଶା ଦେଉଛି ଡ୍ରେନେଜ ବ୍ୟବସ୍ଥା । ଅଳିଆ ଆବର୍ଜନାରେ ଭର୍ତ୍ତି ହେବାକୁ ବସିଲାଣି ଡ୍ରେନ୍ । କେନ୍ଦ୍ରାପଡ଼ା ସହରରେ ଡ୍ରେନ ବ୍ୟବସ୍ଥା ସଂମ୍ପୂର୍ଣ୍ଣ ବିପର୍ଯ୍ୟାସ୍ଥ । ସାମାନ୍ୟ ବର୍ଷା ହେଲେ ଲୋକଙ୍କ ଘରେ ପଶୁଛି ନର୍ଦ୍ଦମା ପାଣି । ସହରରେ ୧୬୩ କି.ମି ଡ୍ରେନ ରହିଥିବା ବେଳେ, ସେଥିମଧ୍ୟରୁ ୧୩୦ କି.ମି ପକ୍କା ଡ୍ରେନ୍ ହୋଇଥିବା ବେଳେ, ୩୩ କି.ମି ହେଉଛି କଚ୍ଚା ଡ୍ରେନ୍ । ତେବେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍ ଉଛୁଳି ପ୍ରାୟ ୧୦ ରୁ ୧୨ ୱାର୍ଡର ଲୋକଙ୍କ ଘରେ ପଶୁଛି ନର୍ଦ୍ଦମା ପାଣି । ଅନ୍ୟପଟେ ମୁକୁଳା ଡ୍ରେନ ଗୁଡିକରେ ପଡି ଅନେକ ସମୟରେ ଧନ ଜୀବନ କ୍ଷତି ହେବାର ଆଶଙ୍କା ମଧ୍ୟ କରୁଛନ୍ତି ସହାରବାସୀ । ନବୀକରଣ ନାମରେ ଭାଙ୍ଗିଦେଲା ବସ୍ ଷ୍ଟାଣ୍ଡ । ୬ କୋଟି ଟଙ୍କା ବ୍ୟୟରେ ନବୀକରଣ କାର୍ଯ୍ୟ ହେବ ବୋଲି ଦେଖାଇଲେ ସ୍ୱପ୍ନ । ଦିନକୁ ଏଠାକୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଆସୁଥିବା ବେଳେ ପ୍ରାୟ ୭୦ ରୁ ୮୦ ସରକାରୀ ଓ ଘରୋଇ ବସ୍ ଜିଲ୍ଲା ଓ ଜିଲ୍ଲା ବାହାରକୁ ଏଠାରୁ କରୁଛି ଯାଆ ଆସ ।ନବୀକରଣ ନାମରେ ପ୍ରାୟ ତିନି ବର୍ଷରୁ ଉର୍ଦ୍ଧ ହେଲାଣି ବସ୍ ଷ୍ଟାଣ୍ଡକୁ ଭାଙ୍ଗିଦେଲା ପ୍ରଶାସନ । ହେଲେ ଏବେ ସ୍ଥିତି ସଙ୍ଗୀନ ହେଲାଣି କିନ୍ତୁ ପଡୁନି ପ୍ରଶାସନର ନଜର । କାର୍ଯ୍ୟ ଚାଲିଛି କଚ୍ଛପ ଗତିରେ । ମାସ ମାସ ଧରି ବନ୍ଦ ହୋଇପଡିଛି ନବୀକରଣ କାର୍ଯ୍ୟ ।ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଏଠାକୁ ଆସୁଥିବା ଯାତ୍ରୀ ।ନବୀକରଣ କାର୍ଯ୍ୟ ନାମରେ ବସଷ୍ଟାଣ୍ଡ କୁ ବନ୍ଦ କରିଦିଆଯାଇଥିବା ବେଳେ ବସ୍ ଗୁଡ଼ିକ ରାସ୍ତାରେ ବୁଲାଇ ଫେରୁଥିବାବେଳେ, ଯାତ୍ରୀ ଉଠାଇବା ଓ ଓହ୍ଲାଇବା ପାଇଁ ରାସ୍ତା କଡ଼ରେ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଥିବାରୁ ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା ଫଳରେ ସହରବାସୀ ରାସ୍ତା ଜାମର ହେଉଛନ୍ତି ସମୁଖୀନ । ଆର୍ ଆଣ୍ଡ ବି ବିଭାଗ ତତ୍ତ୍ୱାବଧାନରେ କାର୍ଯ୍ୟ ହେଉଥିବା ବେଳେ ଦେଖିବାକୁ ବାକି ରହିଲା କେବେ ସରୁଛି କେନ୍ଦ୍ରାପଡ଼ା ବସ୍ ଷ୍ଟାଣ୍ଡ ର ନବୀକରଣ କାର୍ଯ୍ୟ ।
ଦିନ ଥିଲା ଗୋବରୀ ନଦୀ ସାଜିଥିଲା କେନ୍ଦ୍ରାପଡ଼ାର ଜୀବନ ରେଖା ।ଏବେ ଦଳରେ ଏମିତି ଭର୍ତ୍ତି ହୋଇଯାଇଛି ଯେ ଏହାର ନଦୀର ଥଳ କୂଳ ଅନୁମାନ କରିବା କାଠିକର ପାଠ । ନିତ୍ୟ ବ୍ୟବହାର ତ ଦୂର କଥା ଗୋବରୀ ଜଳରେ ପାଦ ଦେବାକୁ ବି ଭୟ କରୁଛନ୍ତି ସହରବାସୀ ।ନଦୀ କୂଳରେ ଅବସ୍ଥିତ ହୋଟେଲ୍ ମାନଙ୍କ ଅଳିଆ ଆବର୍ଜନା ଓ ପଚା ସଢ଼ା ସାମଗ୍ରୀ ଗୋବରୀ ନଦୀରେ ପଡ଼ିବାରୁ ବିଷାକ୍ତ ହୋଇଯାଇଛି ଗୋବରୀ ଜଳ ।ଏମିତିକି ଗୃହ ପାଳିତ ପଶୁ ଙ୍କ ବ୍ୟବହାର ଯୋଗ୍ୟ ବି ହେଉନାହିଁ ଗୋବରୀ ଜଳ ।ଯେଉଁ ଗୋବରୀ ପାଇଁ କେନ୍ଦ୍ରାପଡ଼ା ଦିନ ସ୍ୱତନ୍ତ୍ର ପରିଚୟ ପାଇଥିଲା ଓ ପରିବହନର ମୁଖ୍ୟ ମାଧ୍ୟମ ସାଜିଥିଲା ଯେଉଁ ଗୋବରୀ ନଦୀ ଆଜି ସେହି ଗୋବରୀ ନଦୀର ପରିଚୟ ହଜି ଯିବାକୁ ବସିଲାଣି ବୋଲି ବୁଦ୍ଧିଜୀବୀ ମାନେ ଦେଉଛନ୍ତି ମତ ।